ନୂଆଦିଲ୍ଲୀ: ସୋମବାର ସଂସଦରେ ବିରୋଧୀ ନେତା ରାହୁଲ ଗାନ୍ଧି ଦେଇଥିବା ଅଭିଭାଷଣରେ ବିବାଦୀୟ ମନ୍ତବ୍ୟକୁ ସଂସଦ ରେକର୍ଡରୁ କାଟିଦିଆଯାଇଛି । ପ୍ରଥମ ଥର ବିରୋଧୀ ନେତା ଭାବେ ସଂସଦରେ ନିଜର ମନ୍ତବ୍ୟ ରଖି ବିଜେପିକୁ ଘେରିଥିଲେ ରାହୁଲ । ଏହାରି ଭିତରେ ହିନ୍ଦୁତ୍ବ, ସଂଖ୍ୟାଲଘୁ, ଅଗ୍ନିବୀର ଯୋଜନା, ଆଦାନୀ-ଅମ୍ବାନୀ ପ୍ରସଙ୍ଗକୁ ନେଇ ବିଜେପି ଉପରେ ଖୁବ୍ ବର୍ଷିଥିଲେ ରାହୁଲ । ହେଲେ ସେଗୁଡିକୁ ସଂସଦର ରେକର୍ଡ ପାର୍ଟରୁ ହଟାଇ ଦିଆଯାଇଛି ।
ତେବେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ଭାବରେ ରାହୁଲ ଗାନ୍ଧି ସଂସଦରେ ତାଙ୍କର ପ୍ରଥମ ଅଭିଭାଷଣରେ ଶାସକ ବିଜେପି ଉପରେ ଅନେକ ଆରୋପ ଲଗାଇଥିଲେ । ରାହୁଲ ଗାନ୍ଧି କହିଥିଲେ, ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି, ସେମାନେ ଦିନକୁ ୨୪ ଘଣ୍ଟା ହିଂସା, ଘୃଣା ଏବଂ ମିଥ୍ୟା ପ୍ରଚାର କରିଥାନ୍ତି। ଆପଣ ହିନ୍ଦୁ ହିଁ ନୁହନ୍ତି। ହିନ୍ଦୁ ଧର୍ମରେ ଏହା ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ ଜଣେ ହିନ୍ଦୁ ସତ୍ୟ ସହିତ ଠିଆ ହେବା ଉଚିତ ଏବଂ ସତ୍ୟରୁ କେବେ ବି ପଛଘୁଞ୍ଚା ଦେବା ଉଚିତ୍ ନୁହେଁ। ଅହିଂସା ବିସ୍ତାର ହେବା ଉଚିତ୍ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଆପତ୍ତି ମଧ୍ୟ ଉଠାଇଥିଲେ । ରାହୁଲଙ୍କ ଏପରି ମନ୍ତବ୍ୟ ଯେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଏକ ଗୁରୁତର ବିଷୟ। ଯାହା ଉପରେ ଆପତ୍ତି ଉଠାଇ ରାହୁଲ ଗାନ୍ଧୀ କହିଥିଲେ ଯେ ମୁଁ ବିଜେପି ହିଂସା କରୁଛି ବୋଲି କହିଛି, ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ହିନ୍ଦୁ ସମାଜ ନୁହେଁ। ବିଜେପି ସମଗ୍ର ହିନ୍ଦୁ ସମାଜ ନୁହେଁ। ଆରଏସଏସ ସମଗ୍ର ହିନ୍ଦୁ ସମାଜ ନୁହେଁ ।
ଅନ୍ୟପକ୍ଷରେ ରାହୁଲଙ୍କ ଏଭଳି ମନ୍ତବ୍ୟ ବିପକ୍ଷରେ ନିଜର ମତ ରଖିବା ସହିତ ରାହୁଲ ଭୁଲ୍ ମାଗିବା ଉଚିତ୍ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ।