ପୁରୀ: ପୁରୀ ରତ୍ନ ଭଣ୍ଡାର ଖୋଲିବା ନେଇ ଏବେ ଜାରି ରହିଛି ଦ୍ବନ୍ଦ୍ବ । କେବେ ଖୋଲିବ, ଏହା ରଥଯାତ୍ରା ସମୟରେ ନା ଏହା ପରେ ଏନେଇ କୌଣସି ସ୍ପଷ୍ଟତା ମିଳିପାରିନାହିଁ । ସେପଟେ ରତ୍ନ ଭଣ୍ଡାର ଯାଞ୍ଚ ନେଇ ପୂର୍ବତନ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟି ଗଠନ କରାଯାଇଛି । ଏହି କମିଟି ତତ୍ବାବଧାନରେ ଆଜି ବସିବ ରତ୍ନଭଣ୍ଡାର ଯାଞ୍ଚ କମିଟିର ପ୍ରଥମ ବୈଠକ। ଏହି ବୈଠକରେ କମିଟିର ୧୬ ଜଣିଆ ଟିମ୍ ସଦସ୍ୟ ରତ୍ନଭଣ୍ଡାର ଖୋଲିବା ନେଇ ବିସ୍ତୃତ ଆଲୋଚନା କରିବେ। କେଉଁ ଦିନ ଏବଂ କିଭଳି ଭାବରେ ରତ୍ନ ଭଣ୍ଡାର ଖୋଲିବ ସେନେଇ ମୋଡାଲିଟି ପ୍ରସ୍ତୁତ କରାଯିବ ।
ତେବେ ନୂତନ ଭାବରେ ଗଠନ କରାଯାଇଥିବା ରତ୍ନଭଣ୍ଡାର ଯାଞ୍ଚ କମିଟିର ବୈଠକ ଦିନ ୧୧ଟାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବକୁ ଥିବା ବେଳେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ । ସେ କହିଛନ୍ତି, ରତ୍ନ ଭଣ୍ଡାର ଖୋଲିବା ପ୍ରସଙ୍ଗରେ କମିଟି ଯାହା ନିଷ୍ପତ୍ତି ନେବେ ତାହାକୁ ସରକାର ମାନିବେ । କେବେ ରତ୍ନଭଣ୍ଡାର ଖୋଲିବ? ଏହାର ମୋଡାଲିଟି କଣ ରହିବ? ଏନେଇ ସମସ୍ତ ନିଷ୍ପତ୍ତି କମିଟି ନେବ । ସେମାନେ ଯେଉଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବେ ସରକାର ତାହା ଗ୍ରହଣ କରିବେ । କମିଟି ଦ୍ବାରା ରତ୍ନଭଣ୍ଡାର ଖୋଲିବା ପାଇଁ ଯେଉଁ ତାରିଖ ନିର୍ଦ୍ଧାରଣ କରାଯିବ ସେହିଦିନ ହିଁ ରତ୍ନଭଣ୍ଡାର ଖୋଲାଯିବ ବୋଲି ସ୍ପଷ୍ଟ କରି କହିଛନ୍ତି ଆଇନ ମନ୍ତ୍ରୀ ।