୧୪ ରେ ଖୋଲିପାରେ ରତ୍ନ ଭଣ୍ଡାର, ଏନେଇ ଆଜି ଆସିବ ଏସଓପି

ପୁରୀ:୧୪ ତାରିଖ ଅର୍ଥାତ୍ ଆସନ୍ତାକାଲି ଖୋଲିପାରେ ମହାପ୍ରଭୁଙ୍କ ରତ୍ନ ଭଣ୍ଡାର । ଏନେଇ ପ୍ରାୟ ଚୂଡାନ୍ତ ନିଷ୍ପତ୍ତି ହୋଇସାରିଛି । ତେବେ ଏହା କେମିତି ଖୋଲିବ, କିଏ କିଏ ଏହି ସମୟରେ ଉପସ୍ଥିତ ରହିବେ, କିଏ ରତ୍ନ ଭଣ୍ଡାର ଭିତରକୁ ପ୍ରବେଶ କରିବେ ଏନେଇ ଆଜି ଏସଓପି ଆସିବା ପରେ ସ୍ପଷ୍ଟ ହେବ । ଯାହାକୁ ନେଇ ଆଜି ସୁଦ୍ଧା ଏସଓପି ଦିଆଯିବା ବୋଲି କହିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ଚୌହାନ । ଏନେଇ ମନ୍ତ୍ରୀ କହିଥିଲେ, ରତ୍ନ ଭଣ୍ଡାର ଖୋଲିବା ନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜର ବା ଏସଓପି  ଉପରେ ଆଜିସୁଦ୍ଧା ନିଷ୍ପତ୍ତି ନେବେ ସରକାର ଓ ତାହା ଲୋକଙ୍କୁ ଜଣାଯିବ ।

ତେବେ କହିରଖୁଛୁ, ଗତ ୯ ତାରିଖରେ ରତ୍ନ ଭଣ୍ଡାର ଯାଞ୍ଚ କମିଟିର ଦ୍ୱିତୀୟ ବୈଠକ ଅନୁଷ୍ଠିତ ଜୁଲାଇ ୧୪ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବାକୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ଥିବା କହିଥିଲେ ରତ୍ନ ଭଣ୍ଡାର ଯାଞ୍ଚ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ। ସରକାରଙ୍କ ଅନୁମତି କ୍ରମେ ଆସନ୍ତାକାଲି ରତ୍ନଭଣ୍ଡାର ଖୋଲିବା ପାଇଁ ସମସ୍ତ ପ୍ରଚେଷ୍ଟା କରାଯିବ ବୋଲି ଯାଞ୍ଚ କମିଟି ଅଧ୍ୟକ୍ଷ କରିଥିଲେ । ତେବେ ଏବେ ଖାଲି ଅପେକ୍ଷା କ’ଣ ହେବ ସରକାରଙ୍କ ନିଷ୍ପତ୍ତି!

ସେପଟେ ଏନେଇ ରତ୍ନଭଣ୍ଡାର ଯାଞ୍ଚ କମିଟି ସଦସ୍ୟ ରାଜୀବ ସାହୁ କହିଛନ୍ତି, ରାଜ୍ୟ ସରକାରଙ୍କ ଅନୁମୋଦନ ପାଇବା ସବୁ ଯୋଜନା କାର୍ଯ୍ୟକାରୀ ହେବ। ଏହାଦ୍ୱାରା ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇଯିବ। ନୀତିକାନ୍ତିରେ ବି କୌଣସି ବ୍ୟାଘାତ ହେବନାହିଁ। ଜଗନ୍ନାଥ ସଂସ୍କୃତିରେ ଥିବା ପୋଷାକ ପିନ୍ଧି ଏହି କାର୍ଯ୍ୟ କରାଯିବ।

ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି, ମୋଡିଲିଟି କମିଟି ଦେଇଥିବା ପ୍ରସ୍ତାବ ଓ ପରିଚାଳନା କମିଟି ଦେଇଥିବା ସୁପାରିସ ଉପରେ ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି କାର୍ଯ୍ୟ ଆଗକୁ ବଢିବ ।

ଏହା ସହିତ ରବିବାର ଦିନ ୧୦ଟାରେ ବୈଠକ ହେବ। ପ୍ରଥମେ ଚାବି ରଖାଯିବ। ଏହାପରେ ଲୋକନାଥ ମହାପ୍ରଭୁଙ୍କୁ ପୂଜା କରାଯିବ। ଏଥିପାଇଁ ସମସ୍ତ ସଦସ୍ୟ ସାତ୍ତ୍ବିକ ଆହାର ଗ୍ରହଣ କରୁଛନ୍ତି । ଏହାସହିତ ପାରମ୍ପରିକ ବସ୍ତ୍ର ମଧ୍ୟ ପରିଧାନ କରି ରତ୍ନ ଭଣ୍ଡାର ମଧ୍ୟକୁ ପ୍ରବେଶ କରିବେ । ୨୦ଜଣିଆ ସଦସ୍ୟଙ୍କ ସହ ଅନ୍ୟକିଛି ଲୋକ ଯିବାନେଇ ସୂଚନା ମିଳିଛି। ସମସ୍ତଙ୍କୁ ଚୟନ କରାଯିବ। ୩ଟି ଚାବି ଆସିବା ପରେ ପ୍ରଥମେ ବାହାର ରତ୍ନଭଣ୍ଡାର ଖୋଲାଯିବ। ଏହାପରେ ମୁଖ୍ୟ ରତ୍ନଭଣ୍ଡାର ଖୋଲାଯିବ। ତେବେ ଯଦି ଚାବିରେ ତାଲା ନ ଖୋଲାଯାଇପାରେ ତାହାଲେ କାଗିଗରମାନଙ୍କ ଦ୍ବାରା ଖୋଲିବା ପାଇଁ ଚେଷ୍ଟା କରାଯିବ । ତଥାପି ଯଦି ନଖୋଲେ ଏହାକୁ ଭଙ୍ଗାଯାଇପାରେ ।

Comments (0)
Add Comment