ସମ୍ବଲପୁରୀ ସଂସ୍କୃତି, ଅନ୍ୟର ସୁଖରେ ଖୁସି ହେବାର ସଂସ୍କୃତି – ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁରୀ ଭାଷାରେ ‘ସମ୍ବଲପୁରୀ ଦିନ୍’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

• ସମ୍ବଲପୁରୀ ଦିନ୍ ତଥା ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ
• ସମ୍ବଲପୁରୀ ଭାଷା, ସଂସ୍କୃତି ଏବଂ ସାହିତ୍ୟର ଗରିମା ବୃଦ୍ଧି କରିବାରେ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ତ୍ୟାଗ ଓ ବଳିଦାନ ସବୁଦିନ ପାଇଁ ମନେ ରହିବ
• ସମ୍ବଲପୁରୀ ସଂସ୍କୃତିକୁ ଆଗକୁ ନେବାରେ “ପଶ୍ଚିମାଞ୍ଚଳ ଏକ୍‌ତା ମଂଚ୍‌”ର ଉଦ୍ୟମ ଓ ଲୋକମାନଙ୍କ ସହଯୋଗ ପ୍ରଶଂସନୀୟ
• ଆଇଆଇଏମ୍ ସମ୍ବଲପୁର ଠାରେ ‘ରଙ୍ଗବତୀ ସେଂଟର୍ ଫର୍ ଏକ୍ସଲେନ୍ସ’ ସ୍ଥାପିତ୍ ହେବା ଆନନ୍ଦର କଥା
• ସମ୍ବଲପୁରୀ ଅସ୍ମିତାର ଦିନ – “ସମ୍ବଲପୁରୀ ଦିନ୍‌” ପାଳନ କରି ସମାଜରେ ଭାଇଚାରାକୁ ବଢାଇବା

ଭୁବନେଶ୍ୱର/ସମ୍ବଲପୁର, ଅଗଷ୍ଟ ୧ – ସମ୍ବଲପୁର ଲୋକସଭା ସାଂସଦ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଭିଡିଓ ବାର୍ତ୍ତା ଜାରି କରି ସମ୍ବଲପୁରୀ ଭାଷାରେ “ସମ୍ବଲପୁରୀ ଦିନ୍”ର ଶୁଭେଚ୍ଛା ଜଣାଇବା ସହ ଏହି ଅବସରରେ ସମ୍ବଲପୁରୀ ସାହିତ୍ୟର ପ୍ରଖ୍ୟାତ ସାଧକ ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଶ୍ରୀ ପ୍ରଧାନ ବାର୍ତ୍ତାରେ କହିଛନ୍ତି ଯେ ଆଜି ହେଉଛି ୧ ଅଗଷ୍ଟ – ସମ୍ବଲପୁରୀ ଦିନ୍ । ଗୁରୁ ଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କର ପବିତ୍ର ଜନ୍ମ ଦିନ । ସେହି ଯୁଗଜନ୍ମାଙ୍କୁ ମୋର ଭକ୍ତି ଅର୍ଘ୍ୟ ଅର୍ପଣ କରୁଛି । ଗୁରୁ ଶ୍ରୀ ସତ୍ୟ ନାରାୟଣଙ୍କର ଜୀବନ ସମ୍ବଲପୁରୀ ଭାଷା, ସାହିତ୍ୟ ଆଉ ସଂସ୍କୃତି ପ୍ରତି ସମର୍ପିତ ଥିଲା । ସମ୍ବଲପୁରୀ ଭାଷା, ସଂସ୍କୃତି ଏବଂ ସାହିତ୍ୟର ଗରିମା ବୃଦ୍ଧି ଦିଗରେ ତାଙ୍କର ତ୍ୟାଗ ଓ ବଳିଦାନ ସବୁଦିନ ପାଇଁ ମନେ ରହିବ । ତାଙ୍କର ପବିତ୍ର ଜନ୍ମଦିନ ‘ସମ୍ବଲପୁରୀ ଦିନ’ ଭାବରେ ପାଳନ ହୋଇ ସମ୍ବଲପୁରୀ ଭାଷା ସାହିତ୍ୟ ଏବଂ ସଂସ୍କୃତି ସମଗ୍ର ଦୁନିଆକୁ ମହକାଇ ଦେଇଛି । ଏଥିପାଇଁ ଓଡିଶାର ଅଗ୍ରଣୀ ସାମାଜିକ, ସାଂସ୍କୃତିକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ “ପଶ୍ଚିମାଞ୍ଚଳ ଏକ୍‌ତା ମଂଚ୍‌”ର ଉଦ୍ୟମ ଓ ଲୋକମାନଙ୍କର ସହଯୋଗ ବହୁତ ପ୍ରଶଂସନୀୟ ।

ସମ୍ବଲପୁରୀ ସଂସ୍କୃତି ଓ ଇତିହାସ ଉପରେ ଉଚ୍ଚସ୍ତରୀୟ ଗବେଷଣା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଆଇଆଇଏମ୍ ସମ୍ବଲପୁର ଠାରେ ‘ରଙ୍ଗବତୀ ସେଂଟର୍ ଫର୍ ଏକ୍ସଲେନ୍ସ’ ସ୍ଥାପିତ୍ ହୋଇଛି, ଯାହା ବହୁତ ଆନନ୍ଦ ଓ ଗର୍ବର କଥା । ସମ୍ବଲପୁରୀ ସଂସ୍କୃତି, ଅନ୍ୟର ସୁଖରେ ଖୁସି ହେବାର ସଂସ୍କୃତି । ଏହି କଥାକୁ ସାରା ଦୁନିଆରେ ପ୍ରଚାର ପ୍ରସାର କରିବା । ଚଳିତବର୍ଷ ମଧ୍ୟ ସମସ୍ତେ ମିଳିମିଶି କରି ସମ୍ବଲପୁରୀ ଅସ୍ମିତାର ଦିନ – “ସମ୍ବଲପୁରୀ ଦିନ୍‌” ପାଳନ କରିବା ସହ ସମାଜରେ ଭାଇଚାରାକୁ ବଢାଇବା । ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତିକୁ ଆଗକୁ ବଢ଼ାଇବା ଦିଗରେ ଏହି କାମ ଗୁରୁଶ୍ରୀ ସତ୍ୟ ନାରାୟଣ ବହିଦାରଙ୍କ ଲାଗି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Comments (0)
Add Comment