ରାଜଧାନୀରେ ଖୋଲିଲା ୨୪ ଘଣ୍ଟିଆ ଶସ୍ୟ ଏଟିଏମ୍; ଜାଣନ୍ତୁ କେତେ ଉପକୃତ ହେବେ ହିତାଧିକାରୀ…

ଭୁବନେଶ୍ବର: ରାଜଧାନୀରେ ଖୋଲିଲା ୨୪ ଘଣ୍ଟିଆ ଶସ୍ୟ ଏଟିଏମ୍ । ଏଣିକି ଏଟିଏମରୁ ବାହାରିବ ଖାଦ୍ୟଶସ୍ୟ । ଭୁବନେଶ୍ୱରର ମଞ୍ଚେଶ୍ୱରରେ ଏହି ‘ଶସ୍ୟ ଏଟିଏମ୍’ ସ୍ଥାପନ କରାଯାଇଛି । ଏହାକୁ ଉଦ୍‌ଘାଟନ କରିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏହି ଏଟିଏମରେ ୨୪ ଘଣ୍ଟିଆ ଚାଉଳ ଓ ଗହମ ଉପଲବ୍ଧ ହେବ । ଯଦି ଏହି ଏଟିଏମ୍ ସଫଳତାର ସହ କାର୍ଯ୍ୟ କରେ ତେବେ ଆଗାମୀ ଦିନରେ ସବୁ ଜିଲ୍ଲା ଓ ବ୍ଲକରେ ଏହା ଖୋଲାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ହିତାଧିକାରୀ ନିଜର ରାସନକାର୍ଡ ଆଣି ନମ୍ବର ମାରି ଏଟିଏମରୁ ଚାଉଳ ଉଠାଇ ପାରିବେ । ହିତାଧିକାରୀଙ୍କୁ ପ୍ରଥମେ ମେସିନରେ ବାୟୋମେଟ୍ରିକ, ରାସନ କାର୍ଡ, ଆଧାର କାର୍ଡର ସୂଚନା ଦେବାକୁ ପଡ଼ିବ । ଲୋକମାନେ ଟିପ ଚିହ୍ନ ଦେଇ ବାୟୋମେଟ୍ରିକ ଯାଞ୍ଚ କରିବା ପରେ ଏଟିଏମ୍‌ରୁ ଚାଉଳ ବାହାରିବ । ଏହି ମେସିନକୁ ସମ୍ପୂର୍ଣ୍ଣ ଓଡ଼ିଆ ଭାଷାରେ ସ୍ଥାପନ ଯାଇଛି । ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ଏଟିଏମ୍‌ କାର୍ଡ ଦିଆଯିବ । ଯାଦ୍ୱାରା ସାରା ଭାରତରେ ଏହି କାର୍ଡ ବ୍ୟବହାର ହୋଇପାରିବ ।

ଏହି ଏଟିଏମ୍‌ ରୁ ଜଣେ ହିତାଧିକାରୀ ପାଇଁ ତାଙ୍କ ରାସନ କାର୍ଡରେ ଧାର୍ଯ୍ୟ କରାଯାଇଥିବା କିଲୋଗ୍ରାମ୍ ଚାଉଳ ବାହାରିବାର ବ୍ୟବସ୍ଥା କରାଯାଇଛି । ଏହାଦ୍ବାରା ରାଜ୍ୟରେ ଶସ୍ୟ ଚୋରି, ଦଲାଲି ଆଦି ବେଆଇନ୍ କାର୍ଯ୍ୟ ବନ୍ଦ ହୋଇପାରିବ । ଏହି ଏଟିଏମ୍ ବସିବା ଫଳରେ ରାସନକାର୍ଡଧାରୀମାନେ ଆଉ କଣ୍ଟ୍ରୋଲ ଦୋକାନ ଆଗରେ ଲମ୍ବା ଲାଇନ ଲଗାଇ “ଠିଆ ହେବେ ନାହିଁ ବୋଲି ଯୋଗାଣମନ୍ତ୍ରୀ କହିଛନ୍ତି ।

Comments (0)
Add Comment