କୋଲକାତା ଲଜ୍ଜାରେ କହୁ କହୁ ଲୁହରେ ଭିଜିଗଲା ଗାୟିକା ଉଷାଙ୍କ ଆଖି

କୋଲକାତା: ଆରଜି କର ମେଡିକାଲ କଲେଜରେ ଯାହା ଘଟିଛି ତାହା ପୁଣି ଥରେ ଦେଶରେ ମହିଳାଙ୍କ ସୁରକ୍ଷା ଉପରେ ଏକ ବଡ ପ୍ରଶ୍ନବାଚୀ ଲଗାଇଛି । ଡାକ୍ତରଙ୍କ ସୁରକ୍ଷା ଓ ପୀଡିତାଙ୍କୁ ନ୍ୟାୟ ପାଇଁ ବିକ୍ଷୋଭ ପ୍ରର୍ଦଶନ କରୁଛନ୍ତି ଡାକ୍ତର ଓ ନର୍ସି ଷ୍ଟାଫ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏଥିରେ କ୍ଷୋଭ ପ୍ରକାଶ କରିଛନ୍ତି । ଯେଉଁଭଳି ଭାବେ ପଶ୍ଚିମବଙ୍ଗ ପ୍ରଶାସନ ଓ କଲେଜ କର୍ତ୍ତୃପକ୍ଷ ଏହା ଉପରେ ପଦକ୍ଷେପ ନେଇଛନ୍ତି ଏହା ଲଜ୍ଜାଜନକ ବୋଲି କୋର୍ଟ କହିଛନ୍ତି । ଘଟଣା ଉପରେ ସିବିଆଇର ରିପୋର୍ଟ ସମସ୍ତଙ୍କୁ ସ୍ତବ୍ଧ କରିଛି । ଏହାସହିତ ଏହାକୁ ନେଇ ଅଧିକ ତଦନ୍ତ ଜାରି ରଖିଛି ସିବିଆଇ ।

ସେପଟେ ଏହାକୁ ନେଇ ବିଭିନ୍ନ ଲୋକ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । ପୀଡିତାଙ୍କ ପାଇଁ ସ୍ବର ଉତ୍ତୋଳନ କରି ତାଙ୍କୁ ନ୍ୟାୟ ଦେବା ସହିତ ଦେଶରେ ନାରୀ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଦାବି କରିଛନ୍ତି । ଏହାରି ଭିତରେ ଏବେ କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଗାୟିକା ଉଷା ଉଥୁପଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ଜାତୀୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେବା ବେଳେ ଲୁହରେ ଭିଜି ଯାଇଛି ଉଷାଙ୍କ ଆଖି । ଏହି ଘଟଣା ବିଷୟରେ କହିବା ବେଳେ ଉଷା କାନ୍ଦିପକାଇଛନ୍ତି । କାନ୍ଦି କାନ୍ଦି ପୀଡିତାଙ୍କୁ ନେଇ ଗୀତ ବି ଗାଇଛନ୍ତି ଉଷା । ଯେଉଁଥିରେ ସେ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ଆପଣମାନେ ଭଗବାନଙ୍କୁ କୁହନ୍ତି ନାହିଁ କି ଆପଣଙ୍କ ଅସୁବିଧା ବଡ଼। ଅସୁବିଧାକୁ କୁହନ୍ତୁ କି ମୋର ଭଗବାନ ବଡ଼.. ମୋର ଭଗବାନ ବଡ଼.. ପୀଡ଼ିତାଙ୍କ କଥା ଭୁଲନ୍ତୁ ନାହିଁ। କିଛି ଏମିତି କହି ପୀଡିତାଙ୍କ ପାଇଁ ନିଜ ଆଖିରୁ ଲୁହର ଶ୍ରଦ୍ଧାଞ୍ଚଳି ଦେଇଛନ୍ତି ଉଷା ।
ତେବେ କହିରଖୁଛୁ, କୋଲକାତା ଆରଜି କର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରି ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଯାହାକୁ ନେଇ ଏବେ ଖୋଳତାଳ କରୁଛି ସିବିଆଇ । ଏନେଇ ସିବିଆଇ ଗୁରୁବାର ତାର ପ୍ରାଥମିକ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଛି । ଯେଉଁଥିରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରାଯାଇନାହିଁ ବୋଲି ଉଲ୍ଲେଖ ରହିଛି । ଏହା ସହିତ ସିବିଆଇ ଏହି ଘଟଣା ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ।
Comments (0)
Add Comment