ରାଜଧାନୀରେ ବାର୍ଡ ଫ୍ଲୁ ଭୟ; ଚିକେନ ନ ଖାଇବାକୁ ପରାମର୍ଶ ଦେଲେ ବିଏମସି ମେୟର

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ ଅଂଚଳର ସମସ୍ତ କୁକୁଡା ମାଂସ ଦୋକାନୀମାନଙ୍କ ପାଇଁ ନୋଟିସ୍ ଜାରି କରିଛି ବିଏମସି।

ଭୁବନେଶ୍ବର ଆଖପାଖ ଅଂଚଳରେ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମିତ ହେଉଥିବାରୁ ଉକ୍ତ ଅଂଚଳରୁ କୁକୁଡା କ୍ରୟ ନକରିବାକୁ କୁକୁଡା ମାଂସ ଦୋକାନୀମାନଙ୍କୁ ନୋଟିସ୍ ଜାରି କରିଛି ବିଏମସି।

ଏଥିସହିତ ଭୁବନେଶ୍ୱର ଉପକଣ୍ଠରେ ବାର୍ଡ ଫ୍ଲୁ ବ୍ୟାପିଥିବାରୁ ରାଜଧାନୀବାସୀ କିଛି ଦିନ ଚିକେନ ନ ଖାଇବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ସ୍ଥିତି ନ ସୁଧୁରିବା ଯାଏ ଖାଇବାକୁ ବାରଣ କରିଛନ୍ତି ମେୟର ।

ଏନେଇ ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ କହିଛନ୍ତି ଯେ, ଉକ୍ତ ଅଂଚଳରୁ କୁକୁଡା କିଣିବା ଦ୍ବାରା ରୋଗ ସଂକ୍ରମିତ ହେବାର ସମ୍ଭାବନା ରହିଛି । ସଂପ୍ରତି ଯେଉଁ କୁକୁଡା ବା ପକ୍ଷୀ ଅସ୍ବାଭାବିକ ଭାବେ ଅସୁସ୍ଥ ହୋଇ ପଡୁଛନ୍ତି କିମ୍ବା ମୃତ୍ୟୁ ହେଉଛି ତାହେଲେ ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା କେନ୍ଦ୍ର କିମ୍ବା ୱାର୍ଡ ଅଫିସରେ ଜଣାନ୍ତୁ। ତାହାକୁ ଏଣେତେଣେ ନ ଫିଙ୍ଗି ନିର୍ଦ୍ଦିଷ୍ଠ ସ୍ଥାନରେ ପୋତି ଦେବା ସହ ତା ଉପରେ ବ୍ଲିଚିଂ ସିଚନ କରନ୍ତୁ । ଏହି କାର୍ଯ୍ୟ କରିବା ସମୟରେ ମୁହଁରେ ମାକ୍ସ ଏବଂ ହାତରେ ଗ୍ଲୋବ୍ସ ପିନ୍ଧନ୍ତୁ ।

ଯଦି ଏହି କୁକୁଡା ସଂସ୍ପର୍ଶରେ ଆସି କୌଣସି ବ୍ୟକ୍ତି ବା ଶିଶୁଙ୍କର ଜ୍ବର, ଛିଙ୍କ, କାଶ ଲାଗି ରୁହେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରାନ୍ତୁ।

ବିଏମସି ଅଧିକାରୀ, ସାଇନ୍ ଟିମ୍ ପରିଦର୍ଶନରେ ଯିବା ସମୟରେ ସଠିକ୍ ତଥ୍ୟ ପ୍ରଦାନ କରନ୍ତୁ ଏବଂ ଭୁବନେଶ୍ୱରକୁ ବାର୍ଡ ଫ୍ଲୁ ମୁକ୍ତ କରିବାରେ ସକ୍ରିୟ ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି।

ଏବେ ରାଜଧାନୀରେ ଚିକେନ୍ କିଲୋ ପିଛା ୧୭୦ରୁ ୧୮୦ ଟଙ୍କାରେ ବିକ୍ରି ହେଉଛି ।

Comments (0)
Add Comment