ଗୋଟିଏ ସୁଭଦ୍ରା, କୋଟିଏ ମାଆ

ସ୍ବାଧୀନତା ପ୍ରାପ୍ତିର ସାଢ଼େ ସାତ ଦଶନ୍ଧିରୁ ଅଧିକ ସମୟ ଅତିବାହିତ ହୋଇସାରିଥିଲେ ମଧ୍ଯ ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ ହେବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିପାରିନାହିଁ। ତୃଣମୂଳ ସ୍ତରରେ ମହିଳା ଯେବେ ସଶକ୍ତ ନ ହେବେ, ଶୀର୍ଷ ସ୍ତରରେ ସେମାନେ ନେତୃତ୍ବ ନେବେ ବା କିପରି ? ଗତ ଚବିଶ ବର୍ଷ ଧରି ଓଡ଼ିଶାରେ ଏକ ସ୍ଥିର ସରକାର ରହିଲା ସିନା, ଏହାର ଆଶାନୁରୂପ ସୁଫଳ କିନ୍ତୁ ଏ ରାଜ୍ୟର ମାଆମାନଙ୍କୁ ମିଳିଲା ନାହିଁ, ବରଂ ମହିଳାଙ୍କ ବିରୋଧରେ ହିଂସା, ଅତ୍ୟାଚାର, ଦୁଷ୍କର୍ମ ଆଦି ଘଟଣା ବେଲଗାମ୍‌ ବଢ଼ିଚାଲିଲା ଓଡ଼ିଶାରେ। ଏସବୁରେ ଅତିଷ୍ଠ ହୋଇ ଓଡ଼ିଶାର ମାଆମାନେ ସେହି ସମ୍ବେଦନହୀନ ସରକାରକୁ ଶେଷରେ ପ୍ରତ୍ୟାଖ୍ୟାନ କଲେ ଏବଂ ରାଜ୍ୟରେ ଗଠନ ହେଲା ଏକ ନୂତନ ସରକାର । ଭାରତୀୟ ଜନତା ପାର୍ଟି ନେତୃତ୍ବାଧୀନ ଏହି ନୂଆ ସରକାର ଓଡ଼ିଶାର ଦୁଇ କୋଟିରୁ ଉର୍ଦୁ ମହିଳାଙ୍କ ସାମଗ୍ରିକ ଆଶା, ଆକାଂକ୍ଷା ଓ ଅଭିଳାଷର ପ୍ରତିଫଳନ। ତେଣୁ କ୍ଷମତାକୁ ଆସୁଆସୁ ଓଡ଼ିଶାର ମାଆମାନଙ୍କ ସଶକ୍ତିକରଣ ନିମନ୍ତେ କସରତ ଆରମ୍ଭ କରିଦେଇଥିଲା ନୂଆ ସରକାର। ଏଥିରେ ସର୍ବାଗ୍ରେ ଥିଲା ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରିବାର ପ୍ରସ୍ତୁତି। ଇତିମଧ୍ୟରେ, ଏହି ଯୋଜନାକୁ ଓଡ଼ିଶାର ଘରେଘରେ ପହଞ୍ଚାଇବାର ପଥ ସୁଗମ ହୋଇସାରିଛି।

ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି, ଏହି ମହଦାକାଂକ୍ଷା ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ତାଙ୍କର ଅନାବିଳ ଭଲପାଇବା ସବୁବେଳେ ରହିଆସିଛି। ତାଙ୍କ ବିଚାରରେ, ଓଡ଼ିଶାର ନାରୀଶକ୍ତିର ଅଭ୍ୟୁତ୍ଥାନ ବଳରେ ହିଁ ଓଡ଼ିଆ ଅସ୍ମିତାର ଶ୍ରୀବୃଦ୍ଧି ସମ୍ଭବ। ଏଣୁ ‘ସୁଭଦ୍ରା’ ଭଳି ଏକ ଯୁଗାନ୍ତକାରୀ ଯୋଜନାର ପରିକଳ୍ପନା କରି ସେ ପ୍ରତ୍ୟେକ ଓଡ଼ିଆ ମହିଳାଙ୍କୁ ସଶକ୍ତ କରିବା ପାଇଁ ମନସ୍ଥ କରିଥିଲେ। ଓଡ଼ିଶା ସମଗ୍ର ବିଶ୍ବରେ ଏକମାତ୍ର ଭୂଖଣ୍ଡ ଯହିଁ ଭାଇ ସଙ୍ଗେ ଭଉଣୀ ଏକତ୍ର ପୂଜା ପାଇବାର ଏକ ସୁପ୍ରାଚୀନ ପରମ୍ପରା ରହିଛି। ତେଣୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ମୋଦୀ ଏହି ଯୋଜନାକୁ ମହାପ୍ରଭୁଙ୍କ ଗେହ୍ଲା ଭଉଣୀ ସୁଭଦ୍ରାଙ୍କ ନାମରେ ନାମିତ କରି ନିଜ ଓଡ଼ିଆପ୍ରୀତିର ପରିଚୟ ଦେଇଛନ୍ତି। ଆମର ସୌଭାଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ, ଅର୍ଥାତ୍ ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନା ଓଡ଼ିଶାର ମାଆମାନଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବାକୁ ଯାଉଛି।

ଏଠାରେ ସୂଚନାଯୋଗ୍ୟ, ୨୧ ବର୍ଷରୁ ଉର୍ଦ୍ଧ ଏବଂ ୬୦ ବର୍ଷରୁ କମ୍ ବୟସର ସମସ୍ତ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଯୋଜନାର ଲାଭ ପାଇବେ । ଆବେଦନ ପାଇଁ ରାଜ୍ୟର ୭୪,୦୦୦ ଅଙ୍ଗନବାଡ଼ି କେନ୍ଦ୍ର ସମେତ ମୋଟ ୧,୧୪,୦୦୦ଟି କେନ୍ଦ୍ରରେ ସୁଭଦ୍ରା ପଞ୍ଜୀକରଣ ଫର୍ମ ଉପଲବ୍ଧ ହୋଇଛି। ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ପଞ୍ଜୀକରଣ ସମ୍ବନ୍ଧରେ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି। ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଚଳିତ ବଜେଟରେ ୧୦,୦୦୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ବାର୍ଷିକ ୧୦,୦୦୦ ଟଙ୍କା ମିଳିବ । ଏହିପରି ୫ ବର୍ଷରେ ହିତାଧିକାରୀଙ୍କୁ ମୋଟ ୫୦,୦୦୦ ଟଙ୍କା ପ୍ରଦାନ କରାଯିବ । ପ୍ରତ୍ୟେକ ବର୍ଷ ରାଖ୍ ପୂର୍ଣ୍ଣିମା ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ରେ ୫,୦୦୦ ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ବାର୍ଷିକ ୧୦,୦୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ । ପାଖାପାଖ ୧ କୋଟି ମହିଳାଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଏ ଅର୍ଥରାଶି ଯୋଗାଇ ଦିଆଯିବ ଏବଂ ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ମୋଟ ୫୫,୮୨୫ କୋଟି ଟଙ୍କା| ସୁଭଦ୍ରା ଯୋଜନାରେ ମିଳିବାକୁ ଥ‌ିବା ଅର୍ଥ ହିତାଧିକାରୀ ମହିଳାଙ୍କ ଖାତାକୁ ସିଧାସଳଖ ଯିବ । ସେହି ଅର୍ଥ ତାଙ୍କର ବ୍ୟବସାୟ କିମ୍ବା ଅନ୍ୟାନ୍ୟ ଦରକାରୀ କାମରେ ଲାଗିବ । ଏ ଅର୍ଥ ପରୋକ୍ଷରେ ଆମ ବଜାରରେ ବିନିଯୋଗ ହେବ ଏବଂ ଏହାର ଲାଭ ପାଇବେ ଉଭୟ ରାଜ୍ୟ ଓ ଦେଶ। ସୁଭଦ୍ରା ଯୋଜନାର ଅର୍ଥରେ ମାଆମାନଙ୍କର ଆର୍ଥିକ ଦେଣନେଣ ଓ କାରବାର ବି ବଢ଼ିବ। ଫଳରେ ସେମାନେ ସ୍ବାବଲମ୍ବୀ ହେବେ । ମାଆମାନେ ଆତ୍ମନିର୍ଭରଶୀଳ ହେବା ଦିଗରେ ଏହି ଯୋଜନା ଓଡ଼ିଶାର ସବୁଠାରୁ ବଡ଼ ଯୋଜନା ଭାବେ ପରିଗଣିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଆଭିମୁଖ୍ୟର ଫଳଶ୍ରୁତି ହେଉଛି ‘ଜାମ୍’ ଟ୍ରିନିଟି, ଅର୍ଥାତ୍ ଜନ‌ଧନ, ଆଧାର ଓ ମୋବାଇଲ ନମ୍ବର ସଂଯୋଗୀକରଣ।

ଏହାଦ୍ବାରା ଦେଶରେ ବିଭିନ୍ନ ଲୋକହିତକାରୀ ଯୋଜନାକୁ କାର୍ଯ୍ୟକାରୀ କରିବା ସମୟରେ ଭୂତ ହିତାଧିକାରୀ ତଥା ଦୁର୍ନୀତିକୁ ପ୍ରତିହତ କରାଯାଇପାରୁଛି ଏବଂ ଯୋଜନାଗୁଡ଼ିକର ସୁଫଳ ଏବେ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ମଧ୍ୟ ପହଞ୍ଚିପାରୁଛି। ଓଡ଼ିଶାରେ ଆଜି ପ୍ରାୟ ଏକ କୋଟି ମହିଳାଙ୍କ ପାଖରେ ଜନଧନ ବ୍ୟାଙ୍କଖାତା ରହିଛି, ଯାହା ଫଳରେ ସୁଭଦ୍ରା ଯୋଜନାର ଲକ୍ଷ୍ୟ ଅନୁଯାୟୀ ଏକ କୋଟି ମହିଳାଙ୍କୁ ଲାଭ ପହଞ୍ଚାଇବାର ପ୍ରକ୍ରିୟାରେ ବିଶେଷ ଅସୁବିଧା ହେବନାହିଁ। ଅର୍ଥନୀତିଜ୍ଞଙ୍କ ମତରେ, ସରକାର ଯଦି ମୁଣ୍ଡ ପିଛା ଟଙ୍କାଟିଏ ଖର୍ଚ କରନ୍ତି, ଅର୍ଥନୀତି ୪.୮ ଗୁଣା (ପାଖାପାଖ ୫ ଗୁଣା) ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥାଏ। ଏହାକୁ ‘ମଲ୍ଟିପ୍ଲାୟର୍ ଇଫେକ୍ଟ’ ବୋଲି କୁହାଯାଇଥାଏ । ଏହି ଅନୁସାରେ ଦେଖିଲେ, ଓଡ଼ିଶାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ଜଣ ପିଛା ମିଳିବାକୁ ଥିବା ବାର୍ଷିକ ୧୦,୦୦୦ ଟଙ୍କା, ଆମ ଅର୍ଥନୀତିକୁ ବାର୍ଷିକ ପ୍ରାୟ ୫୦,୦୦୦ ଟଙ୍କାର ଲାଭ ପ୍ରଦାନ କରିବ। ସେହିପରି, ୫ ବର୍ଷରେ ରାଜ୍ୟ ସରକାର ଏଥିପାଇଁ ବହନ କରିବାକୁ ଯାଉଥିବା ମୋଟ ୫୫,୮୨୫ କୋଟି ଟଙ୍କା, ଓଡ଼ିଶାର ଅର୍ଥନୀତିକୁ ପ୍ରାୟ ୨.୫ ଲକ୍ଷ କୋଟି ଟଙ୍କାର ଲାଭ ପ୍ରଦାନ କରିବ । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନର ଲକ୍ଷ୍ୟ ସାଙ୍ଗକୁ ୨୦୪୭ ସୁଦ୍ଧା ପୂର୍ଣ ବିକଶିତ ଭାରତ ନିର୍ମାଣର ଲକ୍ଷ୍ୟ ହାସଲ ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଥମିକତା ତାଲିକାର ସର୍ବାଗ୍ରେ ରହିଛନ୍ତି ଦେଶର କୋଟି କୋଟି ମହିଳା, ଯୁବପିଢ଼ି, ଅନ୍ନଦାତା ଓ ଗରିବ । ତେବେ ସେ ଯୁବସମାଜ ହୁଅନ୍ତୁ ବା ଅନ୍ନଦାତା କୃଷକବନ୍ଧୁ, ଅବା ହୁଅନ୍ତୁ ଗରିବ ଭାଇଭଉଣୀ, ମହିଳାଙ୍କ ଉନ୍ନତିରେ ହିଁ ବାକି ତିନୋଟି ବର୍ଗର ଉନ୍ନତି ନିହିତ ।

ତେବେ ଆର୍ଥିକ ସଶକ୍ତିକରଣ ମାଧ୍ୟମରେ ମହିଳାଙ୍କର ସାମାଜିକ ଓ ରାଜନୈତିକ ସଶକ୍ତିକରଣ ସହଜ ହୋଇପାରିବ । ମାଆ ହାତକୁ କ୍ଷମତା, ମାଆ ଭିତରେ ନିଷ୍ପତ୍ତି ନେବାର ସାମର୍ଥ୍ୟ ଓ ସ୍ବାଧୀନତା ଆସିଲେ ଯାଇ ମାତୃକୁଳର ପୁନରଭ୍ୟୁଦୟ ସମ୍ଭବ। ଆମେ ଆଶା କରିବା, ବାରିପଦା ରଥଯାତ୍ରାରେ ମାଆ ସୁଭଦ୍ରାଙ୍କ ବିଶାଳ ଦର୍ପଦଳନ ରଥକୁ ମହିଳା ଭକ୍ତମାନେ ଯେପରି ଅପାର ଶ୍ରଦ୍ଧା ସହକାରେ ଟାଣିଟାଣି ନେଉଥାନ୍ତି, ସେହିଭାବରେ ସୁଭଦ୍ରା ଯୋଜନାର ଲାଭ ଓ ଉପଯୋଗିତାକୁ ପୁଞ୍ଜି କରି କୋଟିଏ ଓଡ଼ିଆ ମାଆଭଉଣୀ ନିଜର ତଥା ଦେଶର ସୁନ୍ଦର ଭବିଷ୍ୟତ ଗଠନ କରିପାରିବେ।

Comments (0)
Add Comment