ନୂଆଦିଲ୍ଲୀ: ପ୍ରତିମାସ ଭଳି ଏହି ମାସ ଆରମ୍ଭରୁ ବି କିଛିଟା କ୍ଷେତ୍ରରେ ବିଭିନ୍ନ ନିୟମ ପରିବର୍ତ୍ତନ ହୋବୁ ଯାଉଛି । ଯାହାର ସିଧା ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡିବାକୁ ଯାଉଛି । ଆଜିଠୁ କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ବଢିଥିବା ବେଳେ ଟ୍ରେନ୍ ଟିକେଟ ବୁକିଂ ନିୟମ, କ୍ରେଡିଟ କାର୍ଡ, ବ୍ୟାଙ୍କିଙ୍ଗ ନିୟମ ଏବଂ ୟୁପିଆଇ ମାଧ୍ୟମରେ ଟଙ୍କା ନେଣଦେଣ ପ୍ରକ୍ରିୟାରେ ମଧ୍ୟ ବଡ ପରିବର୍ତ୍ତନ ହୋଇଛି । ତେବେ ଜାଣନ୍ତୁ କ’ଣ କ’ଣ ବଦଳିଛି?…
ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍ ବୃଦ୍ଧି
ଆଜିଠୁ କମର୍ସିଆଲ ଗ୍ୟାସ ଦର ୬୨ ଟଙ୍କା ବୃଦ୍ଧି ହୋଇଛି । ତୈଳ କମ୍ପାନୀଗୁଡିକ ୧୯ କିଲୋର ବାଣିଜ୍ୟିକ ସିଲିଣ୍ଡର୍ ଉପରେ ଏଲ୍ପିଜି ଦର ବୃଦ୍ଧି କରିଥିବା ବେଳେ ୧୪.୨ କିଲୋର ଘରେଇ ଗ୍ୟାସ୍ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଅର୍ଥାତ ଘରେ ରନ୍ଧା ଯାଉଥିବା ଏଲ୍ପିଜି ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି ଦର ବଢ଼ିବା ପରେ ଦିଲ୍ଲୀରେ ସିଲିଣ୍ଡର୍ ଦର ୧୭୪୦ରୁ ବଢ଼ିକରି ୧୮୦୨ରେ ପହଞ୍ଚିଛି। ସେହିପରି କୋଲକାତାରେ ସିଲିଣ୍ଡର୍ର ଦର ୧୮୫୦.୫୦ରୁ ବୃଦ୍ଧି ପାଇ ୧୯୧୧.୫୦ ଟଙ୍କା ହୋଇଛି । ମୁମ୍ବାଇରେ ୧୯ କିଲୋର ସିଲିଣ୍ଡର୍ର ଦର ୧୬୯୨.୫୦ ସ୍ଥାନରେ ୧୭୫୪ ଟଙ୍କା ହୋଇଯାଇଛି ।
ଏଟିଏଫ ଏବଂ ସିଏନଜି-ପିଏନଜି ଦର
ତେବେ ସାଧାରଣତଃ ଭାବେ ଏଲପିଜି ଦର ସହିତ ସିଏନଜି-ପିଏନଜି ଦାମ ମଧ୍ୟ ବୃଦ୍ଧି ହୋଇଥାଏ । ହେଲେ ଏହି ମାସରେ ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ । ହେଲେ ଏୟାର ଟର୍ବାଇନ ଫ୍ୟୁଲ(ଏଟିଏଫ୍) ଦରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଗତ କିଛି ଦିନରେ ଉଡାଜାହାଜରେ ବ୍ୟବହୃତ ହେଉଥିବା ଇନ୍ଧନ ଦର ହ୍ରାସ ପାଇଥିବା ଦେଖିବାକୁ ମିଳିଥିଲା । ଅକ୍ଟୋବରରେ ଏଟିଏଫ ଦାମ୍ ୯୩,୪୮୦.୨୨ ଟଙ୍କା ଥିବା ବେଳେ ପ୍ରତି କିଲୋଲିଟର ପିଛା ହ୍ରାସ ହୋଇ ୮୭,୫୯୭.୨୨ ଟଙ୍କା ରହିଥିଲା । ଏବେ ଦିଲ୍ଲୀରେ ଏହାର ମୂଲ୍ୟ ୯୦,୫୩୮.୭୨ ଟଙ୍କାକୁ ବୃଦ୍ଧି ହୋଇଛି ।
ବଦଳିଲା କ୍ରେଡିଟ୍ କାର୍ଡ ନିୟମ
ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ସବସିଡିୟାରୀ ଏସବିଆଇ କାର୍ଡରେ ଆଜିଡୁ ବଡ ପରିବର୍ତ୍ତନ ହୋଇଛି । ଯାହା ଏହାର କ୍ରେଡିଟ୍ କାର୍ଡ ସହ ଜଡିତ ୟୁଟିଲିଟି ବିଲ୍ ପେମେଣ୍ଟ୍ସ ଏବଂ ଫାଇନାନ୍ସ ଚାର୍ଜେସ୍ ଉପରେ ଏହାର ପ୍ରଭାବ ପଡିବ । ଆଜିଠୁ ଅସୁରକ୍ଷିତ ଏସବିଆଇ କ୍ରେଡିଟ କାର୍ଡରେ ପ୍ରତି ମାସରେ ୩.୭୫ ଟଙ୍କା ଆର୍ଥିକ ଚାର୍ଜ ଦେବାକୁ ପଡିବ । ଏହା ବ୍ୟତୀତ ବିଦ୍ୟୁତ୍, ଜଳ, ଏଲପିଜି ଗ୍ୟାସ୍ ଏବଂ ଅନ୍ୟାନ୍ୟ ୟୁଟିଲିଟି ସେବା ପାଇଁ ୫୦ ହଜାରରୁ ଅଧିକ ଦେୟ ଉପରେ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଦେବାକୁ ପଡିବ ।