ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍‌ ସର୍ଭେ ରିପୋର୍ଟ

ପୁରୀ : ହସ୍ତଗତ ହୋଇଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର- ଜିପିଏସ୍‌ ସର୍ଭେ ରିପୋର୍ଟ। ଶ୍ରୀମନ୍ଦିର ପ୍ରଶାସନକୁ ଏହି ରିପୋର୍ଟ ହସ୍ତଗତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ଏଏସଆଇ ପକ୍ଷରୁ ଏହି କାର୍ଯ୍ୟ ପାଇଁ ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ସହାୟତା ନିଆଯାଇଥିଲା। ତୁରନ୍ତ ସମଗ୍ର ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ କାର୍ଯ୍ୟ ହାତକୁ ନେବାକୁ ଏଏସଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିବା ଲେଖିଛନ୍ତି ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ।

ସେ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାରେ କରାଯାଇଥିବା ଜିପିଆର୍‌ଏସ୍‌ ସର୍ଭେର ରିପୋର୍ଟ ଆଜି ଅପରାହ୍ନରେ ହସ୍ତଗତ ହୋଇଛି। ୪୫ ପୃଷ୍ଠାର ରିପୋର୍ଟ ଇ-ମେଲ୍‌ ମାଧ୍ୟମରେ ଆସିଛି। ଯଥା ଶୀଘ୍ର ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣା କାର୍ଯ୍ୟ କରିବା ପାଇଁ ଚିଠି ଲେଖାଯାଇଛି। ଏହାଛଡ଼ା ଏ ନେଇ ଛତିଶାନିଯୋଗକୁ ମଧ୍ୟ ଅବଗତ କରାଯାଇଛି ବୋଲି ଡକ୍ଟର ପାଢ଼ୀ କହିଛନ୍ତି।

ସେ ଆହୁରି କହିଛନ୍ତି, ରାଜ୍ୟ ସରକାର ଅନୁମୋଦନ କରିଥିବା ଏସ୍‌ଓପି ଅନୁସାରେ ଜୁଲାଇ ୧୪ ଓ ୧୮ ତାରିଖରେ ବାହାର ଓ ଭିତର ରତ୍ନଭଣ୍ଡାରୁ ସବୁ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ତା’ପରେ ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ ପାଇଁ ପୂର୍ବରୁ ହାଇଲେବୁଲ୍‌ କମିଟି, ମ୍ୟାନେଜିଂ କମିଟି ଓ ରାଜ୍ୟ ସରକାର ପରାମର୍ଶ ଦେଇଥିଲେ। ସେହି ସମୟରେ ଯାହା ସାଇଣ୍ଟିଫିକ୍‌ ଇନ୍‌ଭେଷ୍ଟିଗେସନ୍‌ କରିବା କଥା କରନ୍ତୁ ବୋଲି କୁହାଯାଇଥିଲା। ସେହି କ୍ରମରେ ଏଏସ୍‌ଆଇ ତରଫରୁ ସିଏସ୍‌ଆର ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ଇନ୍‌ଷ୍ଟିଚ୍ୟୁଟ୍‌ ସହାୟତା ବିଭିନ୍ନ ସର୍ଭେକ୍ଷଣ କାର୍ଯ୍ୟ କରାଯାଇଥିଲା। ସେହି ରିପୋର୍ଟ ଆଜି ହସ୍ତଗତ ହୋଇଛି। ସେହି ରିପୋର୍ଟ ଆଧାରରେ ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ କାମ କରିବା ପାଇଁ ଏଏସ୍‌ଆଇକୁ ଅନୁରୋଧ କରିଛୁ। ମରାମତି ହୋଇସାରିବା ପରେ ଏସ୍‌ଓପି ଅନୁସାରେ ଗଣତିମଣତି କରାଯିବ ବୋଲି ଡକ୍ଟର ପାଢୀ କହିଛନ୍ତି।

ସୂଚନାଯୋଗ୍ୟ, ଏନ୍‌ଜିଆର୍‌ଆଇ ମୁଖ୍ୟ ଡ.ପାଣ୍ଡେ କହିଥିଲେ, ରତ୍ନଭଣ୍ଡାର ଜିପିଆର୍‌ ସର୍ଭେ ପାଇଁ ତିନିଟି ଅତ୍ୟାଧୁନିକ ରାଡାର୍‌ ଓ ଗୋଟିଏ କାର୍ଡ ବ୍ୟବହାର କରାଯାଇଛି। ରାଡାର୍‌ ଜରିଆରେ ଆମେ ୧୦ ମିଟର (ପ୍ରାୟ ୩୩ ଫୁଟ୍‌) ପର୍ଯ୍ୟନ୍ତ ମାଟି ତଳେ କ’ଣ ରହିଛି ଜାଣିପାରିବୁ। ରାଡାର୍‌ ଆଣ୍ଟିନାରେ ସଂଯୋଗ ହୋଇଥିବା ତାର ଜରିଆରେ କଣ୍ଟ୍ରୋଲ ୟୁନିଟ୍‌କୁ ସୂଚନା(ଟ୍ରାନ୍ସମିସନ୍‌) ଦେବ। ସେହି ଅନୁସାରେ କଣ୍ଟ୍ରୋଲ ୟୁନିଟ୍‌ ତଥ୍ୟ ଗ୍ରହଣ (ରିସିଭ୍‌) କରିବ। ଫଳରେ ଆମେ ରତ୍ନଭଣ୍ଡାର ଚଟାଣ ତଳେ ଓ କାନ୍ଥ ଭିତରେ କ’ଣ ଅଛି ଜାଣିପାରିବୁ।

Comments (0)
Add Comment