ଭାରତୀୟ ନୌସେନା ଦିବସ: ଜଗନ୍ନାଥ ଧାମରୁ ବିଶ୍ୱ ଦେଖିବ ନୌବୀରଙ୍କ ବୀରତ୍ଵ

ପୁରୀ: ଆଜି ଭାରତୀୟ ନୌସେନା ଦିବସ । ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ଏକ ବିଶେଷ ଦିନ। ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ଅପରେସନ୍ ଟ୍ରାଇଡେଣ୍ଟ ଆରମ୍ଭ ହେବାର ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ନୌସେନା ଦିବସ ମଧ୍ୟ ପାଳନ କରାଯାଇଥାଏ। ଏହି ଯୁଦ୍ଧରେ ଭାରତୀୟ ନୌସେନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ଯୁଦ୍ଧରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସାମୁଦ୍ରିକମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଭାରତୀୟ ନୌସେନା ଦିବସ ପାଳନ କରାଯାଏ। ତେବେ ଚଳିତବର୍ଷ ଓଡିଶାର ପୁରୀ ବେଳାଭୁମିରେ ପାଳନ ହେଉଛି ଏହି ନୌସେନା ଦିବସ । ନୌସେନା ଦିବସ ଦେଖିବାକୁ ବିଶେଷ ଅତିଥି ମାନେ ମଧ୍ୟ ପୁରୀରେ ପହଞ୍ଚିଲେଣି ।

ପୁରୀର ବ୍ଲୁଫ୍ଲାଗ୍ ବିଚରେ ଆଉ କିଛି ସମୟ ପରେ ଅନୁଷ୍ଠିତ ହେବ ଏହି ନୌସେନା ଦିବସ । ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ମହାମହୀମଙ୍କ ସମ୍ମୁଖରେ ନିଜ ବୀରତ୍ବର ପରାକାଷ୍ଠା ଦେଖାଇବେ ନୌସେନା ଅଧିକାରୀ। ଜଳପଥ, ଆକାଶପଥ ଓ ବେଳାଭୂମି ବାଲିରେ ନିଜର ରଣକୌଶଳ ତଥା ପରିକ୍ରମା ଦେଖାଇବେ ବୀର ଜବାନ୍ ମାନେ । ସମୁଦାୟ ୧୫ଟି ଯୁଦ୍ଧ ଜାହାଜ ସମେତ ୪୦ରୁ ଉର୍ଦ୍ଧ୍ବ ଏୟାରକ୍ରାପ୍ଟ ନିଜନିଜର ଶକ୍ତି ପ୍ରଦର୍ଶନ କରିବେ । ଭାରତୀୟ ନୌସେନା ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍‌ଏସ୍‌ ଦିଲ୍ଲୀ, ଆଇଏନ୍‌ଏସ୍‌ ଶକ୍ତି, ଆଇଏନ୍‌ଏସ୍‌ ସର୍ୟୁ, ଆଇଏନ୍‌ଏସ୍‌ ଅରିହନ୍ତ, ଆଇଏନ୍‌ଏସ୍‌ ସାତପୁରା ପ୍ରମୁଖ ଏହି ଉତ୍ସବରେ ପରାକ୍ରମ ଦେଖାଇବେ। ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମ୍‌ଏସ୍‌-୬୦ ହେଲିକପ୍ଟର ନୌସେନାର ବୀରତ୍ୱ ମଧ୍ୟ ଦେଖାଇବେ।

ସେପଟେ ନୌସେନା ଦିବସ ଓ ରାଷ୍ଟ୍ରପତିଙ୍କ ଗସ୍ତ ଅବସରରେ ଆଜି ପୁରୀ ପୌରପାଳିକାର ସମସ୍ତ ସ୍କୁଲ ବନ୍ଦ ରହିବ। ପୁରୀ ସହରରେ ଥିବା ସବୁ ସ୍କୁଲ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ସେପଟେ ପ୍ରବଳ ଭିଡକୁ ଦୃଷ୍ଟିରେ ରଖି ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱରରୁ ଆସୁଥିବା ୪ ଚକିଆ ଯାନ ଗୁଡ଼ିବ ମାଳତିପାଟପୁରଠାରୁ ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଯିବେ । ଦୁଇ ଚକିଆ ଯାନ ଗୁଡ଼ିକ ବାଟଗାଁରୁ ମଙ୍ଗଳାହାଟ ବାଇପାସ ଦେଇ ଷ୍ଟର୍ଲିଂ ଯାଏ ଯିବେ । କୋଣାର୍କ ପଟୁ ଆସୁଥିବା ଯାତ୍ରୀ ତାଳବଣିଆରେ ଗାଡ଼ି ପାର୍କିଂ କରିପାରିବେ । ବ୍ରହ୍ମଗିରି ପଟୁ ଆସୁଥିବା ଦର୍ଶକ ଷ୍ଟର୍ଲିଂ ନିକଟରେ ଗାଡ଼ି ରଖିପାରିବେ । ଅରେଞ୍ଜ ପାସଧାରୀଙ୍କ ପାଇଁ ଜେଲ୍‌ ରୋଡ୍‌ ଓ ଶରଧାବାଲିରେ ପାର୍କିଂ ବ୍ୟବସ୍ଥା । ବ୍ଲୁ ପାସଧାରୀଙ୍କ ପାଇଁ ହୋଟେଲ ନୀଳାଚଳ ଅଶୋକ ଏବଂ ଏସସିଏସ କଲେଜରେ ପାର୍କିଂ ବ୍ୟବସ୍ଥା କରାଯାଇଛି ।

Comments (0)
Add Comment