ବିଦ୍ୟୁତ୍ ଜନିତ ଆଘାତରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଟିପିଏସ୍ଓଡିଏଲର ବ୍ୟାପକ ପ୍ରୟାସ

ବ୍ରହ୍ମପୁର: ଅନେକ ସମୟରେ ଦେଖିବାକୁ ମିଳୁଛିଯେ, ବିଦ୍ୟୁତ୍ ତାର ଲାଗି ବନ୍ୟଜନ୍ତୁ ମାନେ ପ୍ରାଣ ହରାଉଛନ୍ତି । ବିଦ୍ୟୁତ୍ ଜନିତ ଆଘାତରୁ ବନ୍ୟପ୍ରାଣୀଙ୍କୁ ରକ୍ଷା କରିବା ଏବଂ ଜୈବ ବିବିଧତାକୁ ସୁରକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇଛି ।

ଟିପିଏସ୍ଓଡିଏଲ୍ ପରିସରଭୁକ୍ତ ୮ଟି ଜିଲ୍ଲାରେ ଏହି ପଦକ୍ଷେପ ଆରମ୍ଭ ହୋଇଛି । ବନ ବିଭାଗ ଏବଂ ସ୍ଥାନୀୟ ଆଇନ ପ୍ରବର୍ତ୍ତନ ଏଜେନ୍ସିଙ୍କ ମିଳିତ ସହଯୋଗରେ ଟିପିଏସ୍ଓଡିଏଲ୍ ସମ୍ବେଦନଶୀଳ ସ୍ଥାନଗୁଡିକୁ ଚିହ୍ନଟ କରିବା ସହ ସର୍ଭିଲାନ୍ସ ବ୍ୟବସ୍ଥାକୁ ସୁଦୃଢ଼ କରିଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ବିପଦପୂର୍ଣ୍ଣ ଅଞ୍ଚଳରେ ନଜର ରଖିବା ସହ ପଶୁ ଶିକାର ପାଇଁ ବିଦ୍ୟୁତ ତାର ବିଚ୍ଛାଇବାକୁ ରୋକିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି ।

ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ଜଙ୍ଗଲ ଏବଂ ବନ୍ୟପ୍ରାଣୀ ଆମର ଅମୂଲ୍ୟ ସମ୍ପଦ । ଏମାନଙ୍କ ସୁରକ୍ଷା ଆମର ଦାୟିତ୍ବ । ବନ୍ୟପ୍ରାଣୀ ଶିକାର ପାଇଁ ବିଦ୍ୟୁତ ତାରର ଅବୈଧ ବ୍ୟବହାର କରିବା ଦ୍ବାରା ଆମର ଜୈବ ବିବିଧତା ପ୍ରତି ବିପଦ ସୃଷ୍ଟି ହୋଇଛି । ଦୃଢ଼ ପଦକ୍ଷେପ ଏବଂ ଗୋଷ୍ଠୀ ଭାଗିଦାରୀ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଟିପିଏସ୍ଓଡିଏଲ୍ ପ୍ରତିଶ୍ରୁତିବଦ୍ଧ।”

ଏଥିରେ ନିମ୍ନଲିଖିତ ପଦକ୍ଷେପ ଉପରେ ଗୁରୁତ୍ବ ଦିଆଯାଇଛି:

ଅନଧିକୃତ ବିଦ୍ୟୁତ ସଂଯୋଗକୁ ଚିହ୍ନଟ କରିବା ଓ ତୁରନ୍ତ ରିପୋର୍ଟ କରିବା ପାଇଁ ଲାଇନମ୍ୟାନ ଏବଂ ଫିଲ୍ଡ ଷ୍ଟାଫଙ୍କୁ ତାଲିମ ପ୍ରଦାନ ।

ପଶୁ ଶିକାରର କୁପରିଣାମ ଏବଂ ଜୈବ ବିବିଧତା ସଂରକ୍ଷଣର ମହତ୍ତ୍ଵ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ଗୋଷ୍ଠୀ କର୍ମଶାଳା ଆୟୋଜନ

ବନ୍ୟପ୍ରାଣୀ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ପାଇଁ ପଥପ୍ରାନ୍ତ ନାଟକ ଆୟୋଜନ

ମଣିଷ ଏବଂ ବନ୍ୟପ୍ରାଣୀଙ୍କ ସହାବସ୍ଥାନ ପାଇଁ ଏକ ସଷ୍ଟେନେବଲ୍ ଇକୋସିଷ୍ଟମ୍ ନିର୍ମାଣ ଉପରେ ଟିପିଏସ୍ଓଡିଏଲ୍ ଗୁରୁତ୍ବ ଦେଇଆସିଛି । ଏହି ସଚେତନତା ଅଭିଯାନ ଜରିଆରେ ଦକ୍ଷିଣ ଓଡ଼ିଶାର ସମୃଦ୍ଧ ପ୍ରାକୃତିକ ସମ୍ପଦ ଏବଂ ଜୈବ ବିବିଧତାର ସଂରକ୍ଷଣ କରିବା ଦିଗରେ ଟିପିଏସ୍ଓଡିଏଲ୍ ପ୍ରତିବଦ୍ଧ ରହିଛି ।

Comments (0)
Add Comment