ପ୍ରତ୍ୟେକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ସମ୍ବିଧାନ: ମୋଦୀ

ନୂଆଦିଲ୍ଲୀ: ଚଳିତ ବର୍ଷର ଶେଷ ମନ୍‌ କୀ ବାତ୍‌ରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମନ୍ କୀ ବାତ୍ ର ୧୧୭ତମ ଅଧ୍ୟାୟରେ ସମ୍ବିଧାନ ସମ୍ବନ୍ଧରେ ଅନେକ ଗୁରୁତ୍ଵପୁର୍ଣ୍ଣ ତଥ୍ୟା ଉପସ୍ଥାପନା କରିଛନ୍ତି ମୋଦୀ । ଏଥିସହ ମହାକୁମ୍ବ ଏବଂ ପ୍ରୟାଗରାଜ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, “ଆମ ସମ୍ବିଧାନ ନିର୍ମାତାମାନେ ଆମକୁ ଯେଉଁ ସମ୍ବିଧାନ ଦେଇଛନ୍ତି ତାହା ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି ।“ ସେ କହିଛନ୍ତି ଯେ, “୨୦୨୫ ଜାନୁୟାରୀ ୨୬ରେ ଆମର ସମ୍ବିଧାନ କାର୍ଯ୍ୟକାରୀ ହେବାକୁ ୭୫ ବର୍ଷ ହେବାକୁ ଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ।”

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଦେଶର ନାଗରିକମାନଙ୍କୁ ସମ୍ବିଧାନର ଐତିହ୍ୟ ସହିତ ଯୋଡିବା ପାଇଁ http://constitution75.com ନାମକ ଏକ ସ୍ୱତନ୍ତ୍ର ୱେବସାଇଟ୍ ପ୍ରସ୍ତୁତ କରାଯାଇଛି। ଏଥିରେ ସମ୍ବିଧାନର ପ୍ରସ୍ତାବନା ପଢିବା ପରେ ଆପଣ ଆପଣଙ୍କର ଭିଡିଓ ଅପଲୋଡ୍ କରିପାରିବେ। ଏଥିରେ ଆପଣ ଭିନ୍ନ ଭିନ୍ନ ଭାଷାରେ ସମ୍ବିଧାନ ପଢିପାରିବେ । ଏପରିକି ସମ୍ବିଧାନ ବିଷୟରେ ପ୍ରଶ୍ନ ମଧ୍ୟ ପଚାରି ପାରିବେ। ମନ୍ କି ବାତ୍ ଶୁଣୁଥିବା ସମସ୍ତ ଶ୍ରୋତା, ଛାତ୍ରଛାତ୍ରୀ, ଯୁବକ ଯୁବତୀ ଆଦି ସମସ୍ତଙ୍କୁ ଏହି ୱେବସାଇଟର ଏକ ଅଂଶ ହେବାକୁ ଅନୁରୋଧ କରିଛନ୍ତି ମୋଦୀ ।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରୟାଗରାଜ ଗସ୍ତରେ ଯାଇଥିଲେ । ମନ୍ କି ବାତ୍ କାର୍ଯ୍ୟକ୍ରମରେ ସେ ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭର ପ୍ରସ୍ତୁତି ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ମହାକୁମ୍ଭର ବିଶେଷତା ସାରା ବିଶ୍ଵରେ ପରିଚିତ । ଏହି କାର୍ଯ୍ୟକ୍ରମରେ କୋଟି କୋଟି ଲୋକ ଏକାଠି ହୁଅନ୍ତି। ଲକ୍ଷ ଲକ୍ଷ ସାଧୁ, ହଜାର ହଜାର ପରମ୍ପରା, ଶହ ଶହ ସମ୍ପ୍ରଦାୟର ଲୋକ, ଅନେକ ଅଘୋରି ସମସ୍ତେ ଏକାଠି ହୁଅନ୍ତି । ଏଠାରେ କୌଣସି ଭେଦଭାବ ଦେଖାଯାଏ ନାହିଁ । ଏଠି କେହି ଛୋଟ ନୁହଁନ୍ତି । ଏପରି ଏକତାର ଦୃଶ୍ୟ ଦୁନିଆର ଅନ୍ୟ କେଉଁଠାରେ ଦେଖାଯାଏ ନାହିଁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଗତ କିଛି ବର୍ଷ ହେବ ମ୍ୟାଲେରିଆ ଦେଶରେ ଚରମ ସୀମାରେ ଥିଲା । ହୁ’ ଅନୁଯାୟୀ ଏବେ ଦେଶରେ ମ୍ୟାଲେରିଆ ରୋଗ ହ୍ରାସ ପାଇଛି। ଭାରତରେ ମ୍ୟାଲେରିଆ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟା ବହୁତ କମ୍।” ସେହିପରି ବସ୍ତର ଅଲିମ୍ପିକ୍ସକୁ ନେଇ ମୋଦୀ କହିଛନ୍ତି, “ବସ୍ତରରେ ଏକ ଅନନ୍ୟ ଅଲିମ୍ପିକ୍ସ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ବସ୍ତର ଅଲିମ୍ପିକ୍ସ ସହିତ ସେଠାରେ ଏକ ନୂତନ ବିପ୍ଳବ ସୃଷ୍ଟି ହେଉଛି। ପ୍ରଥମ ଥର ପାଇଁ ବସ୍ତର ଅଲିମ୍ପିକ୍ସରେ ୭ ଟି ଜିଲ୍ଲାରୁ ୬୫ ଲକ୍ଷ ଖେଳାଳି ଅଂଶଗ୍ରହଣ କରିଥିଲେ। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ, ଏହା ଆମର ଯୁବବର୍ଗଙ୍କର ନିଷ୍ଠାର ଗର୍ବର କାହାଣୀ। ”

Comments (0)
Add Comment