ବସ୍ତିରୁ ବାହାରିବ ଦିଲ୍ଲୀ ବିଜୟର ବାଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇପାରନ୍ତି ବସ୍ତି ବାସିନ୍ଦା । ନିର୍ବାଚନରେ ଆମ ଆଦମୀ ପାର୍ଟି ଓ ବିଜେପି ମୁହାଁମୁହିଁ ହୋଇଥିବା ବେଳେ ଉଭୟ ଦଳ ବସ୍ତି ଭୋଟକୁ ଫୋକସ୍ କରିଛନ୍ତି । ଦିଲ୍ଲୀରେ ପ୍ରାୟ ୭୫୦ଟି ବସ୍ତି ରହିଥିବା ବେଳେ ଏଠାରେ ୩୦ଲକ୍ଷରୁ ଅଧିକ ଭୋଟର ରହିଛନ୍ତି । ୭୦ବିଧାନସଭା ସିଟରେ ମହାମୁକାବିଲା ଚାଲିଥିବା ବେଳେ ବସ୍ତି ବାସିନ୍ଦାଙ୍କ ଭୋଟ୍ ଉପରେ ନଜର ରହିଛି । ପୂର୍ବରୁ ବସ୍ତି ଭୋଟବ୍ୟାଙ୍କ କଂଗ୍ରେସ ପାଖରେ ରହିଥିଲା । ତେବେ ଗତ ୧୦ବର୍ଷ ଧରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଦ୍ବାରା ଆପ୍ ବସ୍ତି ବାସିନ୍ଦାଙ୍କ ସମର୍ଥନ ପାଇବାରେ ସଫଳ ହୋଇଛି । ଏଥର ବିଜେପି ବି ବସ୍ତି ଭୋଟ୍ ନିଜ ଖାତାକୁ ନେବାକୁ ରଣନୀତି କରିଛି । ତେବେ ପ୍ରଶ୍ନ, ଦିଲ୍ଲୀରେ ନିର୍ବାଚନୀ ହାଓ୍ବା ବଦଳାଇବାରେ ସମର୍ଥ ବସ୍ତି ବାସିନ୍ଦା ଏଥର କାହାକୁ କରିବେ ସମର୍ଥନ?

ବସ୍ତିରେ ଦିଲ୍ଲୀ କ୍ଷମତାର ଚାବି

୨୦୦୮ ବିଧାନସଭା ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ସହ ଥିଲେ ଦିଲ୍ଲୀ ବସ୍ତି ଭୋଟର । ତେବେ ୨୦୧୩ ନିର୍ବାଚନ ବେଳକୁ ଏହି ଭୋଟରେ ଭାଗ ବସାଇଲା ଆପ୍ । ଆଉ ୨୦୧୫ନିର୍ବାଚନ ବେଳକୁ ଆପର ସପୋର୍ଟ ବେସ୍ ସାଜିଥିଲେ ବସ୍ତି ଭୋଟର । ମାଗଣା ବିଜୁଳି, ପାଣି ଭଳି ଆପ ସରକାରର ଲୋକପ୍ରିୟ ଯୋଜନା ପାଇଁ ବସ୍ତି ବାସିନ୍ଦା ଆପ ଆଡକୁ ଢଳିଥିଲେ । ୨୦୧୫ ଓ ୨୦୨୦ ନିର୍ବାଚନରେ ଦିଲ୍ଲୀର ବସ୍ତି ଅଞ୍ଚଳରେ ଆପର ଦବଦବା ରହିଥିଲା । ବସ୍ତିରୁ ହିଁ ଫିଟିଥିଲା ଆପ ପାଇଁ କ୍ଷମତାର ବାଟ । ଆଉ ସେଥିପାଇଁ ଏଥର ବସ୍ତି ଭୋଟ ନିଜ ପାଖକୁ ନେବାକୁ ଜୋରଦାର ଉଦ୍ୟମ କରୁଛି ବିଜେପି ।

Comments (0)
Add Comment