ମହାକୁମ୍ଭ ମେଳାରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଅନେକ ଟେଣ୍ଟ

ପ୍ରୟାଗରାଜ: ମହାକୁମ୍ଭ ମେଳାରେ ରବିବାର ଦିନ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି।

ସୂଚନା ଅନୁଯାୟୀ, ତୁଳସୀ ମାର୍ଗ ସେକ୍ଟର ୧୯ର ରେଲୱେ ଟ୍ରାକ ତଳେ ଥିବା ଗୀତା ପ୍ରେସ୍ ଗୋରଖପୁରର ଶିବିରରେ ଅଗ୍ନିକାଣ୍ଡ ଘଟିଛି। ଯାହାକି କିଛି ସମୟ ମଧ୍ୟରେ ଭୟଙ୍କର ରୂପ ନେଇଥିଲା।  ଅଗ୍ନିକାଣ୍ଡ ସଂସ୍ପର୍ଶରେ ସିଲିଣ୍ଡରଗୁଡ଼ିକ ଆସିବାରୁ ଭୟଙ୍କର ବିସ୍ଫୋରଣ ହୋଇଥିଲା ଏବଂ ନିଆଁ ଗୋଟିଏ ଟେଣ୍ଟରୁ ଅନ୍ୟ ଟେଣ୍ଟକୁ ବ୍ୟାପିବାରେ ଲାଗିଥିଲା। ଦେଖୁଦେଖୁ କିଛି ସମୟ ମଧ୍ୟରେ ନିଆଁ ବହୁ ସଂଖ୍ୟାରେ ଟେଣ୍ଟ ଗୁଡିକୁ ଜାଳି ଦେଇଥିଲା। ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ଦଳାଚକଟା ସ୍ଥିତି ଉପୁଜିଥିଲା।

ତେବେ କିଛି ଅଧିକାରୀଙ୍କ କହିବା ଅନୁଯାୟୀ ମେଳାରେ ରୋଷେଇ ଚାଲିଥିବା ସମୟରେ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା ଏବଂ ଏହା ପରେ ଅନେକ ସିଲିଣ୍ଡର ନିଆଁ ସଂସ୍ପର୍ଶରେ ଆସିଯାଇଥିଲା।

ଅପରପକ୍ଷରେ ନିଆଁ ଲିଭାଇବା ପାଇଁ ୧୨ଟି ଦମକଳ ବାହିନୀ ଆସିଥିଲେ। ପ୍ରାୟ ଏକ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା। ଏହି ଅଗ୍ନିକାଣ୍ଡରେ ୫୦ଟି ତମ୍ବୁ ଜଳି ଯାଇଥିବା ଜଣାପଡିଛି। ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଛନ୍ତି।

Comments (0)
Add Comment