ପୁଣ୍ୟାତ୍ମା ପଞ୍ଚସଖାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସତ୍ୟବାଦୀ ବକୁଳବନ ବିଦ୍ୟାଳୟର ଐତିହ୍ୟକୁ ସୁରକ୍ଷିତ ରଖାଯାଇ ଏହାର ପୁନରୁଦ୍ଧାର ଓ ବିକାଶ କରିବା ଦିଗରେ ଯୋଜନା କରୁଥିବାରୁ ମୁଖ୍ୟମନ୍ତ୍ରୀ @MohanMOdisha ଙ୍କୁ ଧନ୍ୟବାଦ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଓଡ଼ିଶାରେ ସ୍ୱତନ୍ତ୍ରତା ସଂଗ୍ରାମର ନେତୃତ୍ୱ ନେବା ସହ ଦେଶ ସ୍ୱାଧୀନତା ପାଇଁ ଯେଉଁ ଯୋଜନା ଓ ପରିକଳ୍ପନା କରିଥିଲେ, ତା’ର ପ୍ରୟୋଗଶାଳା ଥିଲା ସତ୍ୟବାଦୀ ବକୁଳବନ ବିଦ୍ୟାଳୟ । ଏହି ପବିତ୍ର ସ୍ଥାନରୁ ହିଁ ପଣ୍ଡିତ ଗୋପବନ୍ଧୁଙ୍କ କଳ୍ପନାରେ ହିଁ ନୂଆ ଜାତୀୟ ଶିକ୍ଷା ନୀତିର ଅଭ୍ୟୁଦୋୟ ହୋଇଥିଲା ।
ତାଙ୍କ ତ୍ୟାଗପୂତ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ର ଆଦି ମହାପୁରୁଷମାନେ ବକୁଳବନରେ ଛାତ୍ରଛାତ୍ରୀଙ୍କୁ ମୌଳିକ ଶିକ୍ଷା ସହ ରୋଜଗାର ଦେବା ଭଳି ଶିକ୍ଷା ପ୍ରଦାନ କରୁଥିଲେ । ଗୁରୁଶିଷ୍ୟ ପରମ୍ପରାର ଅନନ୍ୟ ନିଦର୍ଶନ ବହନ କରୁଥିବା ଏହି ଐତିହ୍ୟସମ୍ପନ୍ନ ଅନୁଷ୍ଠାନର ମହତ୍ୱକୁ ଦୃଷ୍ଟିରେ ରଖି ଗୁଜୁରାଟର ବଡନଗରରେ ପ୍ରଧାନମନ୍ତ୍ରୀ @narendramodi ପାଠ ପଢିଥିବା ‘ପ୍ରେରଣା ସ୍କୁଲ’ର ଢାଞ୍ଚା ଅନୁସାରେ ବକୁଳ ବନ ବିଦ୍ୟାଳୟର ବିକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।
ପ୍ରଧାନମନ୍ତ୍ରୀ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିବା ପ୍ରେରଣା ବିଦ୍ୟାଳୟ ଆଜି ଯେପରି ଶିକ୍ଷା ଓ ମୂଲ୍ୟବୋଧର ଏକ ଅନନ୍ୟ କେନ୍ଦ୍ରରେ ପରିଣତ ହୋଇଛି, ସେପରି ଭାବେ ଏହି ବକୁଳବନ ବିଦ୍ୟାଳୟର ନବୀକରଣ ହେଲେ ଆମର ବରପୁତ୍ର ଓ ମହାପୁରୁଷମାନେ ଦେଖିଥିବା ସ୍ୱପ୍ନ ସାକାର ହୋଇପାରିବ । ପ୍ରାଚୀନ ଭାରତରେ ଗୁରୁକୁଳ ପରମ୍ପରାକୁ ପୁର୍ନଜୀବିତ କରିବାର ପ୍ରୟାସ ଏହି ବକୁଳବନରୁ ଆରମ୍ଭ ହୋଇଥିଲା । ୨୦୩୬ରେ ଓଡ଼ିଶା ଭାଷା ଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଗଠନର ଶହେ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱତନ୍ତ୍ରତାର ଶହେ ବର୍ଷ ପୂରଣ କରିବ । ଏହି ମଣିଷ ତିଆରି କାରଖାନାର ପୁନରୁଦ୍ଧାର ହେଲେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶ ଓ କଳ୍ପନାରେ ଜାତୀୟ ଶିକ୍ଷା ନୀତି କ୍ରିୟାନ୍ୱୟନରେ ଏକ ସ୍ୱପ୍ନ ପୂରଣ ହେବ ।