ଏକ ସପ୍ତାହରେ ଛଅ ହଜାରରୁ ଅଧିକ ଭୂକମ୍ପ ରେକର୍ଡ

ନୂଆଦିଲ୍ଲୀ:ଗ୍ରୀକ ଦ୍ବୀପ ସାଣ୍ଚୋରିନି ଓ ଆମୋର୍ଗୋସରେ ଛଅ ହଜାରରୁ ଅଧିକ ଭୂକମ୍ପ ରେକର୍ଡ କରାଯାଇଛି । ଏକ ସପ୍ତାହ ମଧ୍ୟରେ ଏହି ଅଞ୍ଚଳରେ ୬,୦୦୦ରୁ ଅଧିକ ଭୂକମ୍ପ ରେକର୍ଡ ହୋଇଥିବାରୁ ଗ୍ରୀକ୍ ସରକାର ସମଗ୍ର ସାଣ୍ଚୋରିନି ଦ୍ୱୀପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହି କାରଣରୁ ହଜାର ହଜାର ଲୋକଙ୍କୁ ଏହି ଅଞ୍ଚଳରୁ ସ୍ଥାନାନ୍ତର କରାଯାଇଛି ଏବଂ ଅଧିକାରୀମାନେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବାକୁ ତତ୍ପରତା ଦେଖାଇଛନ୍ତି ।

ଜାନୁଆରୀ୩୧ ରୁ ଆରମ୍ଭ ହୋଇଥିବା ଭୂକମ୍ପ ଝଟକା ମଧ୍ୟରେ ଏହି କ୍ଷେତ୍ରରେ ସର୍ବାଧିକ ୫.୨ ତୀବ୍ରତା ରହିଥିଲା । ସରକାରୀ ମୁଖପାତ୍ର ପାଭଲୋସ ମାରିନାକିସ କହିଛନ୍ତି ଯେ, ଦ୍ୱୀପରେ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଜରୁରୀକାଳୀନ ସେବା ଆରମ୍ଭ କରାଯାଇଛି।

ସରକାରୀ ମୁଖପାତ୍ର କହିଛନ୍ତି ଯେ, ଅଗ୍ନିଶମ ବିଭାଗ, ପୋଲିସ, ତଟରକ୍ଷୀ ବାହିନୀ, ସଶସ୍ତ୍ର ବାହିନୀ ଏବଂ ଜରୁରୀକାଳୀନ ଚିକିତ୍ସା ସେବା ସାଣ୍ଚୋରିନି ଓ ଆଖପାଖ ଦ୍ୱୀପପୁଞ୍ଜରେ ସୁଦୃଢ କରି ଦିଆଯାଇଛି ।

ଯଦିଓ ଏହି ଅଞ୍ଚଳରେ କୌଣସି ବିଶେଷ କ୍ଷୟକ୍ଷତି ହୋଇନଥିଲା,କିନ୍ତୁ ଏହି ସ୍ଥିତିରେ ହଜାର ହଜାର ବାସିନ୍ଦା ଏବଂ ଶ୍ରମିକ ବହୁସଂଖ୍ୟାରେ ପଳାୟନ କରୁଛନ୍ତି, ଯେଉଁମାନେ ଗ୍ରୀକ୍ ମୁଖ୍ୟଭୂମି ଯାଏଁ ପହଞ୍ଚିବାକୁ ନୌକାର ସାହାଯ୍ୟ ନେଉଥିଲେ ।

ଅନେକ ବିଶେଷଜ୍ଞ କହିଛନ୍ତି ଯେ, ଭୂକମ୍ପ ଝଟକା ଆଗ୍ନେୟଗିରି ଗତିବିଧି ସହିତ ଜଡିତ ନୁହେଁ। ତଥାପି, ସେମାନେ ନିଶ୍ଚିତ ନୁହଁନ୍ତି ଯେ ଏକାଧିକ ଭୂକମ୍ପ ଝଟକା ଦ୍ବାରା ଏକ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହୋଇପାରିବ କି ନାହିଁ ?
ଖବର ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ସାଣ୍ଚୋରିନି, ଅନାଫି, ଆମୋର୍ଗୋସ ଏବଂ ଆଇଓଏସ୍ ଦ୍ୱୀପପୁଞ୍ଜ ମଧ୍ୟରେ କେନ୍ଦ୍ରୀଭୂତ ହୋଇଥିଲା ।

ସାଧାରଣତଃ ପର୍ଯ୍ୟଟକମାନଙ୍କ ଦ୍ୱାରା ପରିପୂର୍ଣ୍ଣ ସାଣ୍ଚୋରିନି ବର୍ତ୍ତମାନ ପ୍ରାୟ ଜନଶୂନ୍ୟ ହୋଇ ସାରିଛି । ଭୂକମ୍ପ  ରେକର୍ଡ ପରେ ଗତ ସପ୍ତାହରେ ଏଗାର ହଜାରରୁ ଅଧିକ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ଏହି ଦ୍ୱୀପ ଛାଡିଛନ୍ତି ।

ସାଣ୍ଚୋରିନିର ଅଧିକାଂଶ ଅଂଶ ଜଳମଗ୍ନ ଅଟେ । ଏହି ଗାତ ୧୮୦,୦୦୦ ବର୍ଷ ମଧ୍ୟରେ ଆଗ୍ନେୟଗିରି ଗତିବିଧି ଦ୍ୱାରା ସୃଷ୍ଟି ହୋଇଛି ।   ରିପୋର୍ଟ ଅନୁଯାୟୀ,  ଅନ୍ତିମ ଆଗ୍ନେୟଗିରି ଉଦଗୀରଣ ୧୯୫୦ ଦଶକରେ ହୋଇଥିଲା।

Comments (0)
Add Comment