ମହାରାଷ୍ଟ୍ରରେ ବିଜେପିର ପ୍ରେସର ଗେମ, ସିନ୍ଦେ ନିଜେ ଛାଡି ପଳାଇବେ!

ଭୁବନେଶ୍ୱର: ମହାରାଷ୍ଟ୍ରରେ ହରଡ଼ଘଣାରେ ପଡିଛନ୍ତି ଏକନାଥ ସିନ୍ଦେ। ସିନ୍ଦେ ବିଜେପି ସରକାରରେ ଅଜିତ ପାୱାର ଗୋଷ୍ଠୀଙ୍କ ଏଣ୍ଟ୍ରି ପରେ ସିନ୍ଦେ ଗୋଷ୍ଠୀ ବିଧାୟକ ଓ ନେତାମାନଙ୍କ ଭିତରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।

ସେଥିପାଇଁ ବିଜେପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିଶ ସିନ୍ଦେଙ୍କୁ ସାକ୍ଷାତ କରିଛନ୍ତି। ସିନ୍ଦେ ଗୋଷ୍ଠୀର ଅସନ୍ତୋଷ ଭିତରେ ଏହି ବୈଠକ ଗୁରୁତ୍ୱପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି।

ଏପରିକି ପାୱାର ଗୋଷ୍ଠୀର ଏଣ୍ଟ୍ରି ପରେ ଏକନାଥ ସିନ୍ଦେ ଗୋଷ୍ଠୀ ଅସନ୍ତୁଷ୍ଟ ଥିବାରୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ସରକାରରୁ ଓହରିଯିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ଏ ସବୁ ଚର୍ଚ୍ଚାକୁ ସିନ୍ଦେ ଖଣ୍ଡନ କରିବା ସହ ଏସବୁ କରାଇବା ପଛରେ କିଏ ଅଛନ୍ତି ସେ ଜାଣିଛନ୍ତି ବୋଲି କହିଛନ୍ତି।

ସେପଟେ ଏସବୁ ଭିତରେ ସିନ୍ଦେ ଗୋଷ୍ଠୀ ନେତା ଉଦୟ ସାମନ୍ତଙ୍କ ବୟାନ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ସିନ୍ଦେ ଗୋଷ୍ଠୀ ଇସ୍ତଫା ଦେବେନି ବରଂ ଇସ୍ତଫା ନେବେ ବୋଲି କୁହାଯାଇଛି। ସିନ୍ଦେଙ୍କ ଛବି ଖରାପ କରିବାକୁ ଏ ସବୁ କରାଯାଉଛି ବୋଲି ସିନ୍ଦେ ଗୋଷ୍ଠୀ ପକ୍ଷରୁ କୁହାଯାଇଛି।

Comments (0)
Add Comment