ମହିମାଗାଦିରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ନେଇ ଭିଡ଼ିଓ ବାର୍ତ୍ତା
• ମୋଦୀ ସରକାରଙ୍କ ‘ଜଳ ଜୀବନ ମିଶନ’ରେ ମହିମାଗାଦିରେ ଦୈନିକ ୩୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ
• ଦିନକୁ ୧୦ ଲକ୍ଷ ଲିଟର ପାଣି ଷ୍ଟୋରେଜ୍ ହେବ, ସାନ ମଠ, ବଡ ମଠ, ଯାତ୍ରା ପଡ଼ିଆ ସମେତ ୧୦ଟି ମଠ ଓ ସର୍ବସାଧାରଣ ସ୍ଥାନକୁ ପାଇପ ଯୋଗେ ୨୪ ଘଣ୍ଟା ସ୍ୱଚ୍ଛ ପାନୀୟ ଜଳ ଯୋଗାଯିବ
• ମୋଟ ୧୩ଟି ଗାଁର ୧୨,୦୦୦ରୁ ଅଧିକ ଲୋକମାନେ ଏହା ଦ୍ୱାରା ଉପକୃତ ହେବେ
• ସ୍ଥାନୀୟ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରିବାରେ ବେଶ୍ ସହାୟକ ହେବ
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଆର୍ଥିକ ଅନୁଦାନ ପାଇଁ ଓଏନଜିସିକୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ଜୋରନ୍ଦା/ଢେଙ୍କାନାଳ, ଫେବୃୟାରୀ ୧୦ – ମାଘମେଳା ଭଳି ପବିତ୍ର ସମୟରେ ଜୋରନ୍ଦା ମହିମାଗାଦିରେ ବହୁ ପ୍ରତିକ୍ଷୀତ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଆରମ୍ଭ ହେବା ଖୁସିର ବିଷୟ । ଆଜିର ପଦକ୍ଷେପ ଦ୍ୱାରା ମହିମା ସମାଜର ଥିବା ଦୀର୍ଘ ଦିନର ଦାବି ପୂରଣ ହୋଇପାରିଛି ବୋଲି ସୋମବାର ମହିମାଗାଦିରେ ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଭିଡ଼ିଓ ବାର୍ତ୍ତା ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
“ମହିମା ଧର୍ମ”ର ପବିତ୍ର ତୀର୍ଥ କ୍ଷେତ୍ର ତଥା ଢେଙ୍କାନାଳ ଜିଲ୍ଲାର ଜୋରନ୍ଦାଗାଦିର ପୂଜ୍ୟ ସାଧୁସନ୍ଥ ଏବଂ ଭକ୍ତମାନଙ୍କୁ ପବିତ୍ର ମାଘମେଳାର ଶୁଭକାମନା ଜଣାଇବା ସହ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯୋରନ୍ଦା ମାଘ ମେଳା – ବିଶ୍ୱ କଲ୍ୟାଣ ପାଇଁ ପୂଜ୍ୟ ମହିମା ସାଧୁମାନଙ୍କ ଏକତା ଏବଂ ସମୂହ ପ୍ରାର୍ଥନା ମେଳା । ଜୋରନ୍ଦାର ମହିମାଗାଦି କେବଳ ମହିମା ଧର୍ମର କେନ୍ଦ୍ର ବିନ୍ଦୁ ନ ଥିଲା । ଏହା ଦିନେ ସାରା ଓଡ଼ିଶାର ଶିକ୍ଷା ଓ ଜ୍ଞାନର କେନ୍ଦ୍ର ଭାବେ ପରିଚିତ ଥିଲା । ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମ ଭୋଇ ଏହି ପବିତ୍ର ମାଟିରେ ଶିକ୍ଷା ଓ ଆଧ୍ୟାତ୍ମିକତାର ଏକ ବିରାଟ ଆନ୍ଦୋଳନକୁ ଜନ୍ମ ଦେଇଥିଲେ । ଶୂନ୍ୟ ଭଗବାନଙ୍କ ନିକଟରେ ଶରଣ ପଶିବା ଓ ସରଳ ଜୀବନଯାପନ ହେଉଛି ମହିମାଧର୍ମର ମହାନ ବିଚାର । ମାନନୀୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିମା ଦର୍ଶନରେ ଅନୁପ୍ରାଣିତ ଏବଂ ମହିମାଗାଦିର ବିକାଶ ପାଇଁ ସବୁବେଳେ ଚେଷ୍ଟିତ ।
ଏହି କ୍ରମରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵରେ ଭାରତ ସରକାରଙ୍କ ‘ଜଳ ଜୀବନ ମିଶନ’ରେ ଗଁଦିଆ ବ୍ଲକର ମହିମାଗାଦିରେ ଦୈନିକ ୩୫ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଛି । ଏହି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଏନଜିସି ପକ୍ଷରୁ ସିଏସଆର ପ୍ରକଳ୍ପ ଅଧୀନରେ ୧୦ କୋଟି ୩୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏଠାରେ ଦିନକୁ ୧୦ ଲକ୍ଷ ଲିଟର ପାଣି ଷ୍ଟୋରେଜ୍ ହୋଇପାରିବ । ଏହି ବ୍ୟବସ୍ଥା ଦ୍ୱାରା ସାନ ମଠ, ବଡ ମଠ, ଯାତ୍ରା ପଡ଼ିଆ ସମେତ ୧୦ଟି ମଠ ଓ ସର୍ବସାଧାରଣ ସ୍ଥାନକୁ ପାଇପ ଯୋଗେ ୨୪ ଘଣ୍ଟା ସ୍ୱଚ୍ଛ ପାନୀୟ ଜଳ ଯୋଗାଯିବ । ଏହି ବ୍ୟବସ୍ଥା ଦ୍ୱାରା ମୋଟ ୧୩ଟି ଗାଁର ୧୨,୦୦୦ରୁ ଅଧିକ ଲୋକମାନେ ଏହା ଦ୍ୱାରା ଉପକୃତ ହେବେ । ସେଥିମଧ୍ୟରୁ ୨୦ ପ୍ରତିଶତ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବର୍ଗର ଲୋକମାନେ ଏହାର ସୁବିଧା ପାଇପାରିବେ ।
ସେ ଆହୁରି କହିଛନ୍ତି ଯେ ପ୍ରତିବର୍ଷ ଏହି ସମୟରେ ରାଜ୍ୟ ଓ ପଡୋଶୀ ରାଜ୍ୟରୁ ପ୍ରାୟ ୨ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ମାଘମେଳାକୁ ଆସିଥାନ୍ତି । ଏହି ମେଗା ଓ୍ୱାଟର ପ୍ରୋଜେକ୍ଟ ସ୍ଥାନୀୟ ଅଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଆବଶ୍ୟକତାକୁ ପୂରଣ କରିବାରେ ବେଶ୍ ସହାୟକ ହେବ । ଏହି ବିକାଶମୂଳକ ପ୍ରକଳ୍ପ ଶୁଭାରମ୍ଭ ଅବସରରେ ମହିମା ସମାଜର ସାଧୁସନ୍ଥମାନଙ୍କୁ ଅଭିନନ୍ଦନ ଜଣାଇବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଆର୍ଥିକ ଅନୁଦାନ ପାଇଁ ଓଏନଜିସିକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।
ପ୍ରକାଶ ଥାଉ ଯେ, ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ସାଂସ୍କୃତିକ ପୀଠ ଜୋରନ୍ଦା ସ୍ଥିତ ମହିମାଗାଦିରେ ପାନୀୟ ଜଳର ଉତ୍କଟ ସମସ୍ୟା ବିଷୟରେ ଜନସାଧାରଣ ଏବଂ ସାଧୁସନ୍ଥ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବରୁ ଅନୁରୋଧ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ରମନ୍ତ୍ରୀ ଯୋରନ୍ଦା ମଠରେ ଏକ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରିବା ପାଇଁ ଓନଜିସିକୁ ନିର୍ଦ୍ଦେଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ପରଜଙ୍ଗ ବିଧାୟକ ବିଭୁତି ଭୁଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ସେନା, ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକ, ଗଦିଁଆ ବ୍ଲକ ଚେୟାରମ୍ୟାନ ଦିନାରାଣୀ ଖଟୁଆ, ଏସପି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟୟ ଓ ଏସପି ଅଭିନବ ସୋନକର ଉପସ୍ଥିତ ଥିଲେ ।