ଅଫେରା ରାଇଜରେ ସରପଞ୍ଚ ବାବୁ: ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର

ଭୁବନେଶ୍ଵର:

ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ…

ଏଇ ଚିତା ଥିଲା କାଲି ତୋ ପାଦ ଅଳତା…

ଏ ଅଳତା ପାଇଁ ନିତି ଜାଳୁଥିଲୁ ସଳିତା…

ଜଳେ ଲୋ ଜଳି ପାଇଁଶ ହୁଏ ଏ ସଳିତା ଲୋ…

ସୀତା ଲୋ ଆଜି ଜଳୁଛି ଯାହାର ଚିତା ଲୋ…

ଏ ଥିଲା ସେ ଦିନର କ୍ୟାମେରା ପଛର କାହାଣୀ । ଆଉ ଏବେ ବାସ୍ତବ ଜୀବନରେ ଚିତାରେ ଜଳିଲେ ଉଦଣ୍ଡୀ ସୀତାଙ୍କ ରାମ । ସୀତାଙ୍କୁ ଏକା କରି ସବୁଦିନ ପାଇଁ ଅଫେରା ରାଇଜରେ ଦଣ୍ଡା ବାଳୁଙ୍ଗା । ଝୁରୁଛି ଓଡିଆ, କାନ୍ଦୁଛି ଓଡିଶା । ପଞ୍ଚଭୂତରେ ଲୀନ ହେଲା ଉତ୍ତମଙ୍କ ପାର୍ଥିବ ଶରୀର । ସତ୍ୟନଗର ଶ୍ମଶାନରେ ଉତ୍ତମଙ୍କ ଶେଷକୃତ୍ୟ ସଂପନ୍ନ ହେଲା । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହୋଇଛି । ଉତ୍ତମଙ୍କ ଚିତାରେ ମୁଖାଗ୍ନି ଦେଇଛନ୍ତି ପୁଅ ଅଭିନେତା ବାବୁସାନ୍ ।

ନିଜ ଯାଦୁକରୀ ଅଭିନୟରେ ଉତ୍ତମ ସର୍ବୋତ୍ତମ ସାବ୍ୟସ୍ତ ହୋଇଥିଲେ । ଶ୍ମଶାନ ବାହାରେ ସମର୍ଥକଙ୍କ ପ୍ରବଳ ଗହଳି ଲାଗିଛି।  ଅଫେରା ରାଇଜରେ ଉତ୍ତମ ମହାନ୍ତିଙ୍କୁ ଝୁରୁଛନ୍ତି ପରିବାର ଏବଂ ପ୍ରଶଂସକ । ମାତ୍ର ୬୭ ବୟସରେ ଚିରନିଦ୍ରାରେ ଶୋଇ ଯାଇଛନ୍ତି ଏହି ଏଭରଗ୍ରୀନ ଷ୍ଟାର । ଦିଲ୍ଲୀ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି।

୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ଶ୍ରେଷ୍ଠ ଅଭିନେତା ଭାବେ ୩ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର, ଇନ୍ଦିରାଗାନ୍ଧୀ ପ୍ରିୟଦର୍ଶିନୀ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ।

Comments (0)
Add Comment