ଭୁବନେଶ୍ୱର: ସୋମବାର ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସଭା ଭବନଠାରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏବଂ ପିଏମ୍ ସୂର୍ଯ୍ୟଘର ଯୋଜନାରେ ରାଜ୍ୟରେ ଅଧିକ ଲୋକଙ୍କୁ ସାମିଲ୍ କରିବା ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ଶକ୍ତି ବିଭାଗର ବଜେଟ୍ ଖର୍ଚ୍ଚ ଅତି କମରେ ୮୫ ପ୍ରତିଶତ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଖରାଦିନେ ସାଧାରଣତଃ ଓଭରଲୋଡିଂ ସମସ୍ୟା ଯୋଗୁଁ ବିଦ୍ୟୁତ୍ କାଟ୍ ହୋଇଥାଏ । ଏହାକୁ ପ୍ରତିହତ କରିବା ପାଇଁ ଫିଡର ଓ ଟ୍ରାନ୍ସଫରମର୍ ଗୁଡ଼ିକୁ ଅପଗ୍ରେଡ୍ କରିବା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟୁତ୍ ଯୋଗାଣ କ୍ଷେତ୍ରରେ ଏକ ସୁଦୃଢ଼ ବ୍ୟାକଅପ୍ ବ୍ୟବସ୍ଥା ରଖିବା ପାଇଁ ମଧ୍ୟ ସେ କହିଥିଲେ ।
ପିକ୍ ଆୱାର’ର ଚାହିଦାକୁ ମେଣ୍ଟାଇବା ପାଇଁ ବିଭିନ୍ନ ଶକ୍ତି ଉତ୍ପାଦନକାରୀ କମ୍ପାନୀମାନଙ୍କ ସହିତ ଆଲୋଚନା କରି ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ଶକ୍ତି ଉପଲବ୍ଧ କରିବାକୁ ସେ ପରାମର୍ଶ ଦେଇଥିଲେ । ଆବଶ୍ୟକ ସ୍ଥଳେ କେନ୍ଦ୍ର ସରକାରଙ୍କ ସାହାଯ୍ୟ ନେବାପାଇଁ ମଧ୍ୟ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଉପଭୋକ୍ତାଙ୍କ ସୁବିଧା ପାଇଁ ବିଦ୍ୟୁତ୍ କାଟ ସମୟରେ କ୍ବିକ୍ ରେସପନ୍ସ ବ୍ୟବସ୍ଥାକୁ ସଂମ୍ପୂର୍ଣ୍ଣ ଭାବେ କ୍ରିୟାଶୀଳ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଖରାଦିନ ପାଇଁ ରାଜ୍ୟରେ ନିରବଛିନ୍ନ ବିଦ୍ୟୁତ୍ ଯୋଗାଣ ପାଇଁ କାର୍ଯ୍ୟରତ ସମସ୍ତ ବିଦ୍ୟୁତ୍ ବିତରଣ କମ୍ପାନୀ ସଜାଗ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।
ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ଅନାବଶ୍ୟକ ଭାବେ ହେଉଥିବା ବିଦ୍ୟୁତ୍ ଶକ୍ତିର ଅପଚୟକୁ ରୋକିବା ପାଇଁ ପଦକ୍ଷେପ ନେବାକୁ ବିଭାଗୀୟ ସଚିବଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଆଗାମୀ ଦିନରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ସେନ୍ସରଯୁକ୍ତ ବିଦ୍ୟୁତ୍ ଉପକରଣ ବ୍ୟବହାର କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ । ଏହାଦ୍ୱାରା ଆମର ଶକ୍ତି ସଂରକ୍ଷଣ ହୋଇପାରିବ ବୋଲି ସେ କହିଥିଲେ ।