ନୂଆଦିଲ୍ଲୀ: ‘ଆରଟିଆଇକୁ ଦୁର୍ବଳ କରିବାକୁ ଚାହୁଁଛନ୍ତି ମୋଦି ସରକାର’…କିଛି ଏପରି କହି, ନୂଆ ଡାଟା ପ୍ରୋଟେକ୍ସନ ବିଲକୁ ନେଇ ଏବେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ୍ ଖଡଗେ ।ଏହାକୁ ନେଇ ଖଡଗେ କହିଛନ୍ତି, ଗୋଟିଏ ପଟେ ଭାରତ ଗତ କିଛି ବର୍ଷ ଧରି ଭୁଲ ସୂଚନା ଏବଂ ବିକୃତ ସୂଚନାରେ ଶୀର୍ଷରେ ରହିଆସୁଛି । ଆଉ ଅନ୍ୟପଟେ, ମୋଦି ସରକାର ଡାଟା ପ୍ରୋଟେକ୍ସନ୍ ଆଇନ ଆଣି କଂଗ୍ରେସ-ୟୁପିଏ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ସୂଚନା ଅଧିକାର (ଆରଟିଆଇ) ଆଇନକୁ ଦୁର୍ବଳ କରିବାକୁ ଲାଗିଛନ୍ତି ।
ରାସନ କାର୍ଡ ତାଲିକା, ମନରେଗାର ହିତାଧିକାରୀ ଶ୍ରମିକ, ଜନ କଲ୍ୟାଣ ଯୋଜନାରେ ସାମିଲ ଲୋକଙ୍କ ନାମ, ନିର୍ବାଚନରେ ଭୋଟର ତାଲିକା, କିମ୍ବା ସରକାରୀ ବ୍ୟାଙ୍କରୁ ଋଣ ନେଇ ବିଦେଶ ପଳାୟନ କରୁଥିବା ଠକ କୋଟିପତିଙ୍କ ନାମ ଭଳି ସାର୍ବଜନୀନ କ୍ଷେତ୍ର ସହ ଜଡିତ ସୂଚନା, ଏସବୁର ନାମ ଲୋକଙ୍କ ପାଇଁ ସାର୍ବଜନୀନ ଡୋମେନରେ ଉପଲବ୍ଧ ହେବା ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ମୋଦି ସରକାର ଡାଟା ପ୍ରୋଟେକ୍ସନ୍ ନାଁରେ ଏବେ ଆରଟିଆଇକୁ ଦୁର୍ବଳ କରୁଛନ୍ତି । ଫଳରେ ,ଭଳି ଡୋମେନ୍ ଥିବା ନାଁ ଆଉ ସାର୍ବଜନୀନ କରାଯାଇପାରିବ ନାହିଁ ବୋଲି ଅଭିଯୋଗ କରିଛନ୍ତି ଖଡଗେ ।
ତେବେ କହିରଖୁଛୁ, ଆସନ୍ତା ମାର୍ଚ୍ଚ ୧୦ରୁ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟରେ ମୋଦି ସରକାର ଟାଡା ପ୍ରୋଟେକ୍ସନ ବିଲ୍ ଆଗତ କରିପାରନ୍ତି । ଯାହା ବହୁ ପ୍ରତୀକ୍ଷିତ ବିଲ୍ ହୋଇଥିବା ବେଳେ ଗତ ଗୋଟିଏ ବର୍ଷ ଧରି ଏହା ଉପରେ ସମସ୍ତଙ୍କ ନଜର ରହିଛି । ଏହାକୁ ନେଇ ସରକାର ଲଗାତାର ତର୍ଜମା ଜାରି ରଖିଥିବା ବେଳେ, ଏଥର ବଜେଟରେ ଏହା ଉପସ୍ଥାପିତ ହେବା ପାଇଁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ କୁହାଯାଉଛି, ଓ୍ବାନ ନେସନ୍ ଓ୍ବାଲ ଇଲେକ୍ସନ ଭଳି ଏଥର ବି ଏହି ବିଲକୁ ନେଇ ଅଡିପାରନ୍ତି ବିରୋଧୀ । ରାଜ୍ୟସଭାରେ ସଂଖ୍ୟା ଅଭାବରୁ, ଏହି ବିଲ୍ ପୁଣି ଥରେ ସ୍ଥଗିତ ରଖାଯିବାର ସମ୍ଭାବନା ରହିଛି । ବିରୋଧୀ ଦଳ ଅନ୍ୟ ବିଲ୍ ପରି, ଏହି ବିଲକୁ ବି ଜେପିସିକୁ ପଠାଇବାକୁ ଦାବି କରିପାରନ୍ତି ।