ନୂଆଦିଲ୍ଲୀ: ୮ ଦିନ ପାଇଁ ଯାଇ ୯ ମାସ ହେଲାଣି ମହାକାଶରେ ଜୀବନ ବିତାଉଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲୟମ୍ସ ଏବଂ ତାଙ୍କ ସାଥି ବୁଚ୍ ଓ୍ବିଲମୋର । କୁହାଯାଉଥିଲା ଫେବୃଆରୀ ଶେଷକୁ ସେମାନେ ପୃଥିବୀ ଫେରିବେ । ହେଲେ ଏବେ ଖବର ସାମ୍ନାକୁ ଆସିଛି, ଏପ୍ରିଲ୍ ଆଡକୁ ସେମାନେ ପୃଥିବୀ ଫେରିପାରନ୍ତି । ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଏପର୍ଯ୍ୟନ୍ତ ଦିଆଯାଇନାହିଁ । ଅର୍ଥାତ୍ ସେମାନେ ଏପ୍ରିଲରେ ହିଁ ଆସିବେ ନା ଆହୁରି ବିଳମ୍ବ ହେବ ସେନେଇ କିଛି ସ୍ପଷ୍ଟତା ନାହିଁ ।
ସୁନୀତା ଓ ୱିଲମୋର ୮ ଦିନିଆ ମିଶନରେ ଗତବର୍ଷ ଜୁନ ୫ରେ ବାହାରିଥିଲେ। ଉଭୟ ଜୁନ ୧୩ରେ ଫେରିବାର ଥିଲା। କିନ୍ତୁ ସେମାନେ ଯାଇଥିବା ବୋଇଂର ଷ୍ଟାରଲାଇନରରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା। ଫଳରେ ଉଭୟ ସେହି ଠାରେ ହିଁ ଫସି ରହିଛନ୍ତି। ଏହାପରେ ସୁନୀତା ଓ ୱିଲମୋରଙ୍କୁ ଆଣିବା ପାଇଁ ନାସା ପକ୍ଷରୁ ସ୍ପେଶ ଏକ୍ସ କ୍ରୁ-୧୦ ମିଶନ ଆରମ୍ଭ କରାଯିବ ବୋଲି ଘୋଷଣା କରାଯାଇଥିଲା । ଏହି ମିଶନ ଫେବୃଆରୀ ୨୦୨୫ରେ ଆରମ୍ଭ ହେବାର ଥିଲା। କିନ୍ତୁ ବର୍ତ୍ତମାନ ଫେବୃଆରୀ ଯାଇ ମାର୍ଚ୍ଚ ଆରମ୍ଭ ହେଲାଣି, କିନ୍ତୁ ଏହି ଯାନ ଲଞ୍ଚରେ ବିଳମ୍ବ ଯୋଗୁଁ ଉଭୟ ମହାକାଶଚାରୀ ଚଳିତ ବର୍ଷ ମାର୍ଚ୍ଚ ଶେଷରେ କିମ୍ବା ଏପ୍ରିଲ ଆରମ୍ଭରୁ ଘରକୁ ଫେରିପାରନ୍ତି । ଅର୍ଥାତ ମିଶନ ଆରମ୍ଭର ପ୍ରାୟ ୧୦ ମାସ ପରେ ସେମାନେ ଘରକୁ ଫେରିବେ ।