ବ୍ରହ୍ମପୁର: ଚଳିତ ବର୍ଷ ଖରା ଦିନକୁ ଦୃଷ୍ଟିରେ ରଖି ଲୋକଙ୍କୁ ଭରସାଯୋଗ୍ୟ ବିଜୁଳି ସେବା ଯୋଗାଇବା ଉଦ୍ଦେଶ୍ୟରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ବିଭିନ୍ନ ଆଗୁଆ ପଦକ୍ଷେପ ନିଆଯାଉଛି। ଖରା ଦିନେ ବିଦ୍ୟୁତ କାଟ ସମସ୍ୟାକୁ ଏଡ଼ାଇବା ସହ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ଟିପିଏସ୍ଓଡିଏଲ୍ ଏହାର ବିଦ୍ୟୁତ ଭିତ୍ତିଭୂମି ଏବଂ ଜରୁରୀକାଳୀନ ରେସପନ୍ସକୁ ସୁଦୃଢ଼ କରୁଛି।
ବିଦ୍ୟୁତ ନେଟୱାର୍କରେ ବିଶ୍ୱସନୀୟତା ବୃଦ୍ଧି ପାଇଁ ଟିପିଏସ୍ଓଡିଏଲ୍ ଏହାର ସମସ୍ତ ବିଦ୍ୟୁତ ବିତରଣ ଭିତ୍ତିଭୂମିର ବ୍ୟାପକ ମରାମତି ଓ ରକ୍ଷଣାବେକ୍ଷଣ କାମ କରୁଛି। ଟ୍ରାନ୍ସଫର୍ମର ଏବଂ ଫିଡର୍ ପାଇଁ ଏକ ବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ ହେବା ସହ ୩୩ କେଭି ଓ ୧୧ କେଭି ଲାଇନର ସଠିକ୍ କାର୍ଯ୍ୟକାରିତା ସୁନିଶ୍ଚିତ କରାଯାଇଛି। କିଛି ବଡ଼ ସମସ୍ୟା ଉପୁଜିବା ପୂର୍ବରୁ ତ୍ରୁଟି ସୁଧାରିବା ପାଇଁ ବିଭିନ୍ନ ସ୍ଥାନରେ ରକ୍ଷଣାବେକ୍ଷଣ ଟିମ୍ ନିୟୋଜିତ କରାଯାଇଛି। ୨୪×୭ ଘଣ୍ଟା ବିଦ୍ୟୁତ ଉପକରଣରେ ତ୍ରୁଟି ମରାମତି ପାଇଁ ୨୦୦ରୁ ଅଧିକ ରାତ୍ରିକାଳୀନ ବ୍ରେକଡାଉନ୍ ଟିମ୍ ଗଠନ କରାଯାଇଛି। ଏହାସହ ୩୩ କେଭି ନେଟୱାର୍କର ରକ୍ଷଣାବେକ୍ଷଣ ପାଇଁ କମ୍ପାନୀ ପକ୍ଷରୁ ସ୍ଵତନ୍ତ୍ର ଭାବେ ୨୫୦ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଏହା ଦ୍ବାରା ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁରକ୍ଷିତ ଓ ଭରସାଯୋଗ୍ୟ ବିଜୁଳି ଯୋଗାଣକୁ ସୁନିଶ୍ଚିତ କରାଯାଇପାରିବ।
ଟିପିଏସ୍ଓଡିଏଲର ଗ୍ରୀଷ୍ମକାଳୀନ ପ୍ରସ୍ତୁତିର ମୂଳରେ ରହିଛି ସୁରକ୍ଷା। ସୁରକ୍ଷା ନିୟମାବଳୀର ତଦାରଖ ଏବଂ ଅନୁପାଳନ ସୁନିଶ୍ଚିତ କରିବା ପାଇଁ କମ୍ପାନୀ ସମସ୍ତ ଡିଭିଜନରେ ବିଏ ସୁରକ୍ଷା ଇଞ୍ଜିନିୟରମାନଙ୍କୁ ନିୟୋଜିତ କରିଛି। ଏକ ସକ୍ରିୟ ଏବଂ ଉପଭୋକ୍ତା କୈନ୍ଦ୍ରିକ ଆଭିମୁଖ୍ୟ ସହିତ କମ୍ପାନୀ ଗ୍ରୀଷ୍ମ ଋତୁର ଆହ୍ୱାନର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ଯାହା ଫଳରେ ଦକ୍ଷିଣ ଓଡ଼ିଶାର ଉପଭୋକ୍ତା, ବ୍ୟବସାୟୀ ଏବଂ ଅତ୍ୟାବଶ୍ୟକ ସେବାଗୁଡିକ ଆବଶ୍ୟକୀୟ ବିଜୁଳି ସୁବିଧା ପାଇପାରିବେ।