ଭୁବନେଶ୍ବର: ଗନ୍ଧମାର୍ଦ୍ଦନ ଲୋଡିଙ୍ଗ ଏଜେନ୍ସିରେ ଟଙ୍କା ହେରଫେର ଘଟଣାରେ ଗିରଫ ରାଜା ଚକ୍ରଙ୍କ ଓକିଲ ସୀତାଂଶୁ ଦ୍ବିବେଦୀଙ୍କ ଅଭିଯୋଗକୁ ଖଣ୍ଡନ କଲା ବିଜେପି । ବିଜେପି ମୁଖ୍ୟ ମୁଖପାତ୍ର ସଜ୍ଜନ ଶର୍ମା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଓ ଏଥିପାଇଁ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛି ଦଳ ।
ଅଭିଯୁ୍କ୍ତ ରାଜା ଚକ୍ରଙ୍କ ଓକିଲଙ୍କ ବକ୍ତବ୍ୟ ସମ୍ପୂର୍ଣ୍ଣ ମିଥ୍ୟା । ଏଥିରେ କୌଣସି ସତ୍ୟତା ନାହିଁ। ଏହା କେବଳ ନିଜ କ୍ଲାଇଂଟକୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। ଏଭଳି ମନଗଢ଼ା ଖବରପ୍ରକାଶ ପାଇବା ଦ୍ୱାରା ଖବରକାଗଜର ବିଶ୍ୱାସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବରିଷ୍ଠ ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି।
ଓଡ଼ିଶା ବାର୍ ସଭାପତି ଭାବେ ସୀତାଂଶୁ ଏହି କାର୍ଯ୍ୟ କରିଛନ୍ତି ନା ଅଭିଯୁକ୍ତଙ୍କ ଓକିଲ ଭାବେ ଏମିତି କହିଛନ୍ତି । ବାର୍ କାଉନସିଲ ସଭାପତିଙ୍କ ଠାରୁ ଏହା ଆଶା କରାଯାଏ ନାହିଁ । ପୁରା ଆଇନଜୀବୀ ସମାଜର ଛବିକୁ ପ୍ରଭାବିତ କରିଛନ୍ତି ।ଆଶା କରୁଛୁ ସେ ଯେଉଁ ତ୍ରୁଟି କରିଛନ୍ତି ସେ କ୍ଷମା ଭିକ୍ଷା କରନ୍ତୁ ବୋଲି ସଜ୍ଜନ ଶର୍ମା କହିଛନ୍ତି ।
ବୁଧବାର ଇଓଡବ୍ଲୁର ଦୁଇଜଣିଆ ଟିମ୍ କୋଇଡ଼ାର ବିଭିନ୍ନ ଖଣି ଓ ପରିବହନ ସଂସ୍ଥାକୁ ଯାଇ ପଚରାଉଚରା କରୁଥିଲେ। ରାଜା ଚକ୍ରଙ୍କ ବେନାମୀ ସମ୍ପତ୍ତିର ଖୋଳତାଡ଼ ଜାରି ରଖିଛି ଇଓଡବ୍ଲୁ। ଅନ୍ୟପଟେ ରାଜା ଚକ୍ର କଳା ସାମ୍ରାଜ୍ୟ ଲିଙ୍କରେ ବହୁ ବଡ଼ବଡ଼ ଅଧିକାରୀ, ନେତା, ଟ୍ରାନ୍ସପୋର୍ଟର ରହିଥିବା କୋଇଡ଼ା ଅଞ୍ଚଳରେ ଆଲୋଚନା ହେଉଛି ।
ସୂଚନାଯୋଗ୍ୟ ଯେ, ରାଜା ଚକ୍ରଙ୍କ ବେନାମୀ କାରବାରକୁ ନେଇ ଇଓଡବ୍ଲୁ ପକ୍ଷରୁ ଭୁବନେଶ୍ୱରରେ ଫେବ୍ରୁଆରି ୭ ରେ କେସ୍ ନମ୍ବର ୩ରେ ଭାରତୀୟ ନ୍ୟାୟ ସଂହିତା ଧାରା ୪୦୬, ୪୦୯, ୪୨୦, ୪୬୭, ୪୭୧ ଓ ୧୨୦ ବି ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ରାଜ୍ୟର ୧୦ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।