ସମ୍ବଲପୁର ସନାତନପାଲି ଠାରେ କୃଷକ ଭବନ ପାଇଁ ଭୂମିପୂଜନ ସହ ‘ପୁଷ୍ପକୃଷି ପଲୀହାଉସ’ ଲୋକାର୍ପିତ
*ସମ୍ବଲପୁର ଜିଲ୍ଲାରେ କୃଷିଜାତ ଓ ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମତ୍ସ୍ୟଚାଷ ଉତ୍ପାଦନ ବୃଦ୍ଧି କରାଯିବ – ଧର୍ମେନ୍ଦ୍ର ପ୍ରଧାନ*
• ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
• ସନାତନପାଲି ନୂତନ ଉପ-ବଜାର ପ୍ରାଙ୍ଗଣରେ କୃଷକ ଭବନ, ଗୋଦାମଗୃହ, କଭରସେଡ୍ ଆଦି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ
• ସିଏସଆଇଆର-ପୁଷ୍ପକୃଷି ମିଶନ ଅଧୀନରେ ସନାତନପାଲିରେ ନିର୍ମିତ ‘ପୁଷ୍ପକୃଷି ପଲୀହାଉସ’ର ଲୋକାର୍ପଣ କରିବା ସହ ପୁଷ୍ପ ବଗିଚା ପରିଦର୍ଶନ କଲେ
• ଡବଲ ଇଞ୍ଜିନ ସରକାରରେ ଫୁଲଚାଷର ପେଣ୍ଠସ୍ଥଳୀ ହେବ ସମ୍ବଲପୁର
• ପୁଷ୍ପ କୃଷି ମେଳାରେ ଯୋଗଦେବା ସହ ସ୍ଥାନୀୟ ଚାଷୀ ପ୍ରମୋଦଙ୍କ ସହ କଲେ ଆଲୋଚନା
• ଫୁଲଚାଷରେ ମାତ୍ର ୩୦ ହଜାର ଟଙ୍କା ଖର୍ଚ୍ଚ କରି ଏକର ପିଛା ୧ ଲକ୍ଷ ଟଙ୍କା ପାଇପାରିବେ ଚାଷୀ
• ସନାତନପାଲିର ଚାଷୀ ଭାଇମାନେ ଫୁଲ ଚାଷ କରି ଲାଭବାନ ହେବା ସହ ଅନ୍ୟମାନଙ୍କୁ ଫୁଲ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିବା ପ୍ରଶଂସନୀୟ
• ଏଭଳି ଉଦ୍ୟମ ଫୁଲ ଚାଷ କ୍ଷେତ୍ରରେ ଉଦ୍ୟୋଗ ଏବଂ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ
• ଚାଷୀମାନଙ୍କ ଆୟ ଦୁଇ ଗୁଣା ବୃଦ୍ଧି ହେବା ସହ ସେମାନେ ଆତ୍ମନିର୍ଭର ହେବେ
ସନାତନପାଲି/ସମ୍ବଲପୁର, ଏପ୍ରିଲ ୧୪ – ସମ୍ବଲପୁର ଜିଲ୍ଲାରେ କୃଷିଜାତ ଦ୍ରବ୍ୟ, ଉଦ୍ୟାନ ଜାତ କୃଷି ଦ୍ରବ୍ୟ, ପଶୁପାଳନ ଏବଂ ମତ୍ସ୍ୟଚାଷ କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରାଯିବ । ବିଶେଷ ଭାବରେ ଏହି ୪ଟି କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେଇ ଚାଷୀମାନଙ୍କ ଜୀବନଜୀବିକାରେ ସୁଧାର ଅଣାଯିବ । ଏହା ଦ୍ୱାରା ‘ବିକଶିତ ସମ୍ବଲପୁର’ର ସ୍ୱପ୍ନ ସାକାର ହୋଇପାରିବ ବୋଲି ସୋମବାର ସମ୍ବଲପୁର ଜୁଜୁମୁରା ବ୍ଲକ ସନାତନପାଲି ଠାରେ ‘ପୁଷ୍ପ କୃଷି ମେଳା’ରେ ଯୋଗଦେବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଓଡ଼ିଆ ନୂଆବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀର ଶୁଭ ଅବସରରେ ଶ୍ରୀ ପ୍ରଧାନ ସନାତନପାଲି ନୂତନ ଉପ-ବଜାର ପ୍ରାଙ୍ଗଣରେ କୃଷକ ଭବନ, ଗୋଦାମଗୃହ, କଭରସେଡ୍ ଆଦି ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଭାରତ ସରକାରଙ୍କ ସିଏସଆଇଆର୍- ଏନବିଆରଆଇ, ଲକ୍ଷ୍ନୌ ଏବଂ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ସିଏସଆଇଆର-ପୁଷ୍ପକୃଷି ମିଶନ ଅଧୀନରେ ନିର୍ମିତ ‘ପୁଷ୍ପକୃଷି ପଲୀହାଉସ’ର ଲୋକାର୍ପଣ କରିବା ସହ ପୁଷ୍ପ ବଗିଚା ପରିଦର୍ଶନ କରିଥିଲେ । ପରେ ଆୟୋଜିତ ପୁଷ୍ପ କୃଷି ମେଳାରେ ଯୋଗଦେବା ସହ ଗ୍ରାମର ବିଭିନ୍ନ ଚାଷୀଙ୍କୁ ଚାରା ବଣ୍ଟନ କରିଥିଲେ ଏବଂ ଫୁଲ ବ୍ୟବସାୟ ଉପରେ ସ୍ଥାନୀୟ ଯୁବ ଚାଷୀ ପ୍ରମୋଦଙ୍କ ସହ କଥା ହୋଇଥିଲେ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁର ଏକ ଚଷାଚାଷୀ ଅଞ୍ଚଳ । କୃଷି ହେଉଛି ଏ ଅଞ୍ଚଳର ଅର୍ଥନୀତି । କୃଷି ହଁଥ ଏଠାକାର ସାଂସ୍କୃତିକ ଓ ସାମାଜିକ ଏକତାର ମୂଳ ଉପାଦାନ । ସନାତନପାଲିର ଚାଷୀ ଭାଇମାନେ ଫୁଲ ଚାଷ କରି ଲାଭବାନ ହେବା ସହ ଅନ୍ୟମାନଙ୍କୁ ଫୁଲ ଚାଷ କରିବା ପାଇଁ ପ୍ରୋତ୍ସାହିତ କରିବା ପ୍ରଶଂସନୀୟ ।
ଡବଲ ଇଞ୍ଜିନ ସରକାରରେ ସମ୍ବଲପୁରକୁ ଫୁଲଚାଷର ପେଣ୍ଠସ୍ଥଳୀ କରିବା ପାଇଁ ଉଦ୍ୟମ କରାଯିବ । କେବଳ ଶୀତ ଦିନ ନୁହେଁ ଏଣିକି ପ୍ରତି ୪ ମାସରେ ଥରେ ବର୍ଷ ସାରା ଫୁଲ ଉତ୍ପାଦନ ହେବ । ଫୁଲଚାଷରେ ମାତ୍ର ୩୦ ହଜାର ଟଙ୍କା ଖର୍ଚ୍ଚ ହେବ ଏବଂ ଏକର ପିଛା ଲକ୍ଷେ ଟଙ୍କାରୁ ଅଧିକ ଦରରେ ଏହି ଫୁଲ ବିକ୍ରି ହେବ । ଏହା ଦ୍ୱାରା ଆମର ଚାଷୀମାନଙ୍କ ଜୀବନଜୀବିକାରେ ଉନ୍ନତି ହେବ । ସେ ଆହୁରି କହିଥିଲେ ଯେ ଆଜି ଦେଶ ଓ ରାଜ୍ୟରେ ଏକ କଲ୍ୟାଣକାରୀ ସରକାର ଅଛି ।