‘ମା’ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ’

ଭୁବନେଶ୍ୱର: ରାଜଧାନୀ ରାମ ମନ୍ଦିର ସାମ୍ନାରୁ ଜଣେ ଦୃଷ୍ଟି ବାଧିତ ମା’ କୋଳରୁ ଚୋରି ହୋଇଥିବା ଶିଶୁ ପୁତ୍ରକୁ ବାଲେଶ୍ବରରୁ ଉଦ୍ଧାର କରାଯାଇଛି । ଏହି ଘଟଣାରେ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣଁ ମାଝୀ । ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସ ରେ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଭୁବନେଶ୍ୱରରୁ ଚୋରି ହୋଇଥିବା ଶିଶୁ ପୁତ୍ର ନିଜ ଦୃଷ୍ଟି ବାଧିତ ମା’ କୋଳକୁ ଫେରି ଆସିବା ଖବର ମୋତେ ଆଶ୍ବସ୍ତି ପ୍ରଦାନ କରିଛି ।

ସମ୍ପୃକ୍ତ ମା’ଙ୍କ ମୁହଁରେ ଶିଶୁ ପୁତ୍ରକୁ ପାଇବାର ହସ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ । ଘଟଣା ଘଟିବାର ୩ ଦିନ ମଧ୍ୟରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଜଣେ ଗରିବ, ଅସହାୟ ମହିଳାଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ପୋଲିସ ପ୍ରଶାସନର ପଦକ୍ଷେପ ନିଶ୍ଚୟ ପ୍ରଶଂସନୀୟ ।

ତୃଣମୂଳସ୍ତରରେ ସବୁ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ଆହୁରି ନିକଟତର ହୋଇ କାମ କରିବା ଦିଗରେ ଆମ ସରକାର ସର୍ବଦା ସମ୍ବେଦନଶୀଳ । ପ୍ରତ୍ୟେକଟି ଓଡ଼ିଶାବାସୀ ବିଶେଷ କରି ଗରିବ, ଅସହାୟ ଲୋକମାନେ ଯାହାଙ୍କ ପାଇଁ କେହି ନାହାନ୍ତି, ସରକାରୀ ବ୍ୟବସ୍ଥା ସବୁବେଳେ ତାଙ୍କ ପାଖରେ ଅଛି । ତାଙ୍କ ସମସ୍ୟାର ସମାଧାନ ହିଁ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ।

Comments (0)
Add Comment