ନୂଆଦିଲ୍ଲୀ: ୧୯୯୧ ବ୍ୟାଚ୍ ର ବରିଷ୍ଠ IAS ଅଫିସର ଅଶୋକ ଖେମକା ଆଜି ଅବସର ନେଉଛନ୍ତି। ଯିଏକି ୩୪ ବର୍ଷର କ୍ୟାରିୟର ମଧ୍ୟରେ ୫୭ ଥର ଟ୍ରାନ୍ସଫର୍ ହୋଇ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।
ହରିୟାଣାର ପରିବହନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବରେ ସେ ଅବସର ନେଇଛନ୍ତି। ଯେଉଁଠି ସେ ଗତ ଡିସେମ୍ବର ୨୦୨୪ରୁ ନିୟୋଜିତ ଥିଲେ। ହରିୟାଣା କ୍ୟାଡରର ଏହି ଅଧିକାରୀ ୨୦୧୨ ମସିହାରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଙ୍କ ସ୍ୱାମୀ ରବର୍ଟ ଭାଡ୍ରାଙ୍କ ସ୍କାଇଲାଇଟ୍ ହସପିଟାଲିଟି ଏବଂ ଡିଏଲଏଫ ୟୁନିଭର୍ସାଲ୍ ଲିମିଟେଡ୍ ମଧ୍ୟରେ ହୋଇଥିବା ଜମିର ଚୁକ୍ତିନାମାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲେ। ଯାହା ସେହି ସମୟରେ ସବୁଠାରୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଥିଲା। ସେହି ମାମଲାର ତଦନ୍ତ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ।
ଅଶୋକ ଖେମକା ହୋଲ୍ଡିଂ ସମନ୍ୱୟର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ୱରେ ଥିବା ବେଳେ ୧୫ ଅକ୍ଟୋବର ୨୦୧୨ରେ ସ୍କାଏ ଲାଇଟ୍ର ୩.୫୩ ଏକର ଜମିର ମ୍ୟୁଟେସନ୍କୁ ରଦ୍ଦ କରି ଦେଇଥିଲେ।
ପରେ ୨୬ ନଭେମ୍ବର ୨୦୧୯ରେ ଯେତେବେଳେ ତାଙ୍କୁ ବଦଳି କରାଯାଇଥିଲା ସେତେବେଳେ ସେ ତାଙ୍କର ‘ଏକ୍ସ’ ଆକାଉଣ୍ଟ ରେ ଲେଖିଥିଲେ ଯେ ପୁଣି ଥରେ ସେହି ସମାନ ଜିନିଷ ଘଟିଛି ଓ ମତେ ବଦଳି କରାଯାଇଛି। ଗତକାଲି ସମ୍ବିଧାନ ଦିବସ ପାଳନ କରାଯାଇଥିଲା କିନ୍ତୁ ଆଜି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ନିୟମକୁ ଉଲ୍ଲଂଘନ କରାଯାଇଛି। ତେବେ ଏହି ନିଷ୍ପତ୍ତିରେ କିଛି ଲୋକ ଖୁସି ହେବେ। ଏଠାରେ ସଚ୍ଚୋଟତାର ମୂଲ୍ୟ ‘ଅପମାନ ପାଇବା’ ବୋଲି ସେ କହିଥିଲେ।
ତେବେ ହରିୟାଣାର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ତତ୍କାଳୀନ ପ୍ରମୁଖ ସଚିବ ଅଶୋକ ଖେମକାଙ୍କୁ ସମାନ ପଦବୀରେ ଅଭିଲେଖାଗାର, ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟ ବିଭାଗକୁ ସ୍ଥାନାନ୍ତର କରାଯାଇଥିଲା।