ମୁମ୍ବାଇ: ୨୦୨୪ ନଭେମ୍ବରରେ ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାରେ ରେଡିଓ-ଟ୍ୟାଗ୍ ହୋଇଥିବା ପୁରୁଷ ବାଜପକ୍ଷୀ ଅମୁର ଫାଲକନ୍ ଚିଉଲୁଆନ୍ ୨ ଅବିଶ୍ରାନ୍ତ ଉଡାଣ ପରେ ଓଡ଼ିଶାରେ ପହଞ୍ଚିଛି। ସେ ଛତିଶଗଡ଼ରେ ରାତିରେ ବିଶ୍ରାମ ନେବା ପରେ ପଶ୍ଚିମ ଓଡ଼ିଶାରେ ପହଞ୍ଚିଥିବା ଜଣାପଡିଛି।
ଦକ୍ଷିଣ ଆଫ୍ରିକାରେ ୧୧୪ ଦିନ ବିତାଇବା ପରେ ଏପ୍ରିଲ ୮ ରେ ବୋତସୱାନାରୁ ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କରିଥିଲା। ସୋମାଲିଆରୁ ଭାରତ ପର୍ଯ୍ୟନ୍ତ ୯୩ ଘଣ୍ଟାରେ ୩୮୦୦ କିଲୋମିଟର ଅବିଶ୍ରାନ୍ତ ଯାତ୍ରା କରିଛି। ତେବେ ସେ ଗୁଜରାଟ ଓ ଛତିଶଗଡ ଦେଇ ଶେଷ ଓଡ଼ିଶାରେ ପହଞ୍ଚିଥିଲା।ଏହି ଖବର ପକ୍ଷୀପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଭରିଛି ।
ଅମୁର ଫାଲକନ୍ଗୁଡ଼ିକୁ ବିଶ୍ୱର ସବୁଠାରୁ ଦୀର୍ଘ ଯାତ୍ରା କରୁଥିବା ପକ୍ଷୀ ଭାବରେ ବିବେଚନା କରାଯାଏ। ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ବରିଷ୍ଠ ବୈଜ୍ଞାନିକ ଡକ୍ଟର ସୁରେଶ କୁମାରଙ୍କ କହିବାନୁଯାୟୀ, “ଆମେ ଚିଉଲୁଆନ୍ ୨ର ସଦ୍ୟତମ ସ୍ଥାନ ସମ୍ପର୍କରେ ତଥ୍ଯ ପାଇଛୁ। ବୁଧବାର ସନ୍ଧ୍ୟା ୫ଟାରେ ଏହା ପଶ୍ଚିମ ଓଡ଼ିଶାରେ ଥିଲା। ଏହା ଗତକାଲି ଛତିଶଗଡ଼ରେ ଗୋଟେ ରାତି ପାଇଁ ଅଟକିଥିଲା।
ସାଟେଲାଇଟ୍-ଟ୍ୟାଗ୍ ହୋଇଥିବା ଅମୁର ଫାଲକନ୍ ଏହି ପକ୍ଷୀମାନଙ୍କର ପ୍ରବାସୀ ପଥଗୁଡ଼ିକୁ ଟ୍ରାକ୍ କରିବା ପାଇଁ ଏକ ରିସର୍ଚ୍ଚର ଅଂଶ। ଯାହା ସେମାନଙ୍କ ଗତି ଓ ଅବସ୍ଥିତି ଏବଂ ଦୀର୍ଘ-ଦୂରତା ଯାତ୍ରା ବିଷୟରେ ଜାଣିବାରେ ସହାୟକ ହେବ।
ଗତ ବର୍ଷ ନଭେମ୍ବରରେ ସ୍ଥାନୀୟ ବନ ବିଭାଗ ଦ୍ୱାରା ମଣିପୁରର ତାମେଙ୍ଗଲଙ୍ଗ ଜିଲ୍ଲାର ଚିଉଲୁଆନ ଗାଁ ଛାଡିବା ପରେ ଏହି ପ୍ରବାସୀ ପକ୍ଷୀଟି ପାଞ୍ଚ ଦିନ ଏବଂ ୧୭ ଘଣ୍ଟା ମଧ୍ୟରେ ସୋମାଲିଆରେ ପ୍ରଥମ ରହଣି ସ୍ଥାନରେ ପହଞ୍ଚିଥିଲା। ଯାହାପରେ ନିରନ୍ତର ଉଡ଼ି ଆରବ ସାଗର ପାର କରିଥିଲା।