ଶୁଖିଯିବ ପାକିସ୍ତାନ! ଏବେ ଚେନାବ ଜଳ ଅଟକାଇଲା ଭାରତ

ନୂଆଦିଲ୍ଲୀ:ଭାରତର ଆଉ ଏକ ବଡ ଆକ୍ସନ । ପହଲଗାମ ଆକ୍ରମଣ ପରେ ପାକିସ୍ତାନକୁ କୂଟନୈତିକ ସ୍ତରରେ ଆଉ ଏକ ବଡ଼ ଝଟକା ଦେଇଛି ଭାରତ। ସିନ୍ଧୁ ନଦୀ ଜଳ ଚୁକ୍ତିକୁ ଭାରତ ରଦ୍ଦ କରିବା ପରେ ଏବେ ଚେନାବ ନଦୀ ଜଳକୁ ବନ୍ଦ କରିଦେଇଛି। ଭାରତ ବାଗଲିହାର ଡ୍ୟାମ ଦେଇ ଚେନାବ ନଦୀର ପାଣି ବନ୍ଦ କରିଦେଇଛି।

 

ଏହା ସହିତ କିଶନଗଙ୍ଗା ଡ୍ୟାମରୁ ବି ପାକିସ୍ତାନକୁ ଜଳ ବନ୍ଦ କରିବା ଦିଗରେ ପଦକ୍ଷେପ ନେବାକୁ ଯୋଜନା ଚାଲିଥିବା ସୂଚନା ରହିଛି ।

ଭାରତ ଜମ୍ମୁର ରାମବନରେ ଥିବା ବାଗଲିହାର ଜଳ ବିଦ୍ୟୁତ୍ ବନ୍ଧ ଏବଂ ଉତ୍ତର କାଶ୍ମୀରରେ ଥିବା କିଶନଗଙ୍ଗା ଜଳ ବିଦ୍ୟୁତ୍ ବନ୍ଧ ମାଧ୍ୟମରେ ନିଜ ପାର୍ଶ୍ୱରୁ ଜଳ ଛାଡ଼ିବାର ସମୟକୁ ନିୟନ୍ତ୍ରଣ କରିପାରିବ। ଏହାର ଅର୍ଥ ହେଉଛି ଏହି ଡ୍ୟାମଗୁଡ଼ିକ ଦେଇ ପାକିସ୍ତାନକୁ ଯାଉଥିବା ପାଣିକୁ କୌଣସି ପୂର୍ବ ସୂଚନା ବିନା ହ୍ରାସ କରାଯାଇପାରିବ ଏବଂ ପ୍ରବାହକୁ ମଧ୍ୟ ବୃଦ୍ଧି କରାଯାଇପାରିବ।

 

ବିଶ୍ଵ ବ୍ୟାଙ୍କର ମଧ୍ୟସ୍ଥତାରେ ଭାରତ-ପାକିସ୍ତାନ ମଧ୍ୟରେ ୧୯୬୦ରେ ସିନ୍ଧୁ ଜଳ ଚୁକ୍ତି କରାଯାଇଥିଲା। ଏହା ଅଧୀନରେ ସିନ୍ଧୁ ନଦୀ ଏବଂ ଏହାର ଉପନଦୀଗୁଡ଼ିକର ପାଣିକୁ ଦୁଇ ଦେଶ ମଧ୍ୟରେ ଆବଣ୍ଟନ କରିବାକୁ ନିଷ୍ପତ୍ତି ହୋଇଥିଲା।

 

ପାକିସ୍ତାନ ଅତୀତରେ ବାଗଲିହାର ଡ୍ୟାମ ମାମଲାରେ ବିଶ୍ୱ ବ୍ୟାଙ୍କଠାରୁ ମଧ୍ୟସ୍ଥତା ଲୋଡ଼ିଛି। ଝେଲମର ଏକ ଶାଖା ନଦୀ ନୀଲମ ନଦୀ ଉପରେ କିଶନଗଙ୍ଗା ବନ୍ଧର ପ୍ରଭାବ ସମ୍ପର୍କରେ ଆଇନଗତ ଏବଂ କୂଟନୈତିକ ଯାଞ୍ଚ ହୋଇଛି। ଭାରତରୁ ପାକିସ୍ତାନକୁ ପ୍ରବାହିତ ଏହି ନଦୀଗୁଡ଼ିକୁ ଦେଶର ଜୀବନରେଖା ଭାବରେ ବିବେଚନା କରାଯାଏ । କାରଣ ଏହା ଜଳସେଚନ ଏବଂ ପାନୀୟ ଜଳ ଯୋଗାଣ ପାଇଁ ପାକିସ୍ତାନ ଏହି ନଦୀ ଉପରେ ନିର୍ଭର କରେ।

Comments (0)
Add Comment