ଭୁବନେଶ୍ୱର: ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିଲା। ଯାହା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଏସବୁ ପରିସ୍ଥିତି ମଧ୍ୟରେ ଗୃହ ମନ୍ତ୍ରଣାଳୟ ଦ୍ଵାରା ଦେଶବ୍ୟାପୀ ନାଗରିକ ମାନଙ୍କ ସୁରକ୍ଷା ପାଇଁ ବୁଧବାର ଦିନ ମକ୍ ଡ୍ରିଲ୍ ଆରମ୍ଭ କରାଯାଇଛି।
ଏହି ମକ୍ ଡ୍ରିଲ ରାଜଧାନୀ ଭୁବନେଶ୍ୱର ସମେତ ଓଡ଼ିଶାର ୧୨ଟି ସ୍ଥାନରେ ହୋଇଥିଲା। ଆକାଶ ମାର୍ଗରୁ ଏହି ସାଇରନ୍ ବଜା ଯାଇଥିଲା। ତେବେ ଏହି ପରିସ୍ଥିତି ଶେଷ ଥର ପାଇଁ ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ହୋଇଥିଲା।
ତେବେ ଏହାର ପ୍ରଥମ ଅଭ୍ୟାସରେ ଭୁବନେଶ୍ୱର ସହ ଅନ୍ୟ ୧୧ଟି ସ୍ଥାନରେ ଅପରାହ୍ନ ୪ଟା ସମୟରେ ସାଇରନ୍ ବାଜିଥିଲା।
ମକ୍ ଡ୍ରିଲ୍ ସମୟରେ, ବିଭିନ୍ନ ସ୍ଥାନରେ ଅଗ୍ନିଶମ ଗାଡ଼ି ଏବଂ ପିସିଆର୍ ଭ୍ୟାନ୍ ମୁତୟନ କରାଯିବା ସହ ସୁରକ୍ଷା କର୍ମୀ ଏବଂ ନାଗରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀ ମାନଙ୍କୁ ନିୟୋଜିତ କରାଯାଇଥିଲା।
ଭୁବନେଶ୍ୱରରେ ରାଜମହଲ ଛକରୁ ଶିଶୁ ଭବନ ଛକ ଓ ବାପୁଜୀନଗର ଅଞ୍ଚଳ ପର୍ଯ୍ୟନ୍ତ ମକ୍ ଡ୍ରିଲ୍ କରାଯାଇଥିଲା। ଜନଗହଳି ଥିବା ବଜାର ଅଞ୍ଚଳରେ ଆଲାର୍ମ ସାଇରନ୍ ବାଜିଥିଲା ଏବଂ ଆଖ ପାଖ ଲୋକଙ୍କୁ ଅଭ୍ୟାସ ପାଇଁ ଦୌଡ଼ିବାକୁ କୁହା ଯାଇଥିଲା।
ଡିଆଇଜି ଉମାଶଙ୍କର ଦାଶ, ଡିଏମ ଖୋର୍ଦ୍ଧା କଲେକ୍ଟର, ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଏବଂ ଜିଏମ ପୁରନ୍ଦର ନନ୍ଦଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସମନ୍ୱିତ କମାଣ୍ଡ କଣ୍ଟ୍ରୋଲ ରୁମ୍ ରୁ ରାଜଧାନୀରେ ହୋଇଥିବା ମକ୍ ଡ୍ରିଲ୍ ର ତଦାରଖ କରିଥିଲେ।
ଉଲ୍ଲେଖଯୋଗ୍ୟ, ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର, ଖୋର୍ଦ୍ଧା, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଗଞ୍ଜାମ, ଜଗତସିଂହପୁର, ଢେଙ୍କାନାଳ, ପୁରୀ, କୋରାପୁଟ, ସୁନ୍ଦରଗଡ, ଏବଂ ଅନୁଗୁଳରେ ସିଭିଲ ଡିିଫେନ୍ସ ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା।