ଭୁବନେଶ୍ଵର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାର୍ଯ୍ୟାନ୍ୱୟନ ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟର ବିଦ୍ୟାଳୟ ଶିକ୍ଷା ପରିପୃଷ୍ଠ, ସ୍କୁଲ ଭିତ୍ତିଭୂମିର ଉନ୍ନତିକରଣ, ଜାତୀୟ ପାଠ୍ୟକ୍ରମ ରୂପରେଖ ସହିତ ସମନ୍ୱୟ ରଖି ପାଠ୍ୟପୁସ୍ତକ ଏବଂ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିବା, ଶିକ୍ଷକଙ୍କ ଦକ୍ଷତା ବିକାଶ, ଜାତୀୟ ଶିକ୍ଷା ନୀତି ୨୦୨୦ର କାର୍ଯ୍ୟାନ୍ୱୟନ, ପ୍ରଧାନମନ୍ତ୍ରୀ ପୋଷଣ ଏବଂ ସମଗ୍ର ଶିକ୍ଷା ସମେତ ଅନ୍ୟାନ୍ୟ କ୍ଷେତ୍ରୀୟ ଯୋଜନାଗୁଡ଼ିକର ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।
ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଉପସ୍ଥିତ ଥିବା ସହ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସଚିବ ସଞ୍ଜୟ କୁମାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଶାଳିନୀ ପଣ୍ଡିତ, ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାସଙ୍କ ସମେତ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଓ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପିଏମ-ପୋଷଣ ନିର୍ଦ୍ଦେଶକ ଅନୁଜ ଦାସ ପଟ୍ଟନାୟକ, ଏସସିଇଆରଟି ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀ, ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶକ ରଘୁରାମ୍ ଆର୍ ଆୟର ପ୍ରମୁଖ ଯୋଗ ଦେଇଥିଲେ।
ବୈଠକରେ ଓଡ଼ିଶାରେ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନାର ସଫଳ କାର୍ଯ୍ୟାନୟ୍ବନ ସମ୍ପର୍କରେ ଆଲୋଚନା କରାଯାଇଥିଲା। ରାଜ୍ୟରେ ଜାତୀୟ ଶିକ୍ଷା ନୀତି ୨୦୨୦ ର କାର୍ଯ୍ୟକାରିତାକୁ ତ୍ବରାନ୍ବିତ କରିବା ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯାଇଛି। ରାଜ୍ୟରେ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ ଖୋଲାଯାଇଥିବା ଶିଶୁ ବାଟିକାର ସୁପରିଚାଳନା, ଜାତୀୟ ପାଠ୍ୟକ୍ରମ ରୂପରେଖର ସମନ୍ବୟରେ ରାଜ୍ୟ ପାଠ୍ୟକ୍ରମକୁ ବିକଶିତ କରିବା ଏବଂ ଏଥିରେ ସ୍ଥାନୀୟ ପ୍ରାସଙ୍ଗୀକରଣକୁ ପ୍ରାଧାନ୍ୟ ଦେବା ଉଦ୍ଦେଶ୍ୟରେ ଏକ ଷ୍ଟିୟରିଂ କମିଟି ଗଠନ କରାଯାଇଥିବା ନେଇ ଆଲୋଚନା କରାଯାଇଛି।
ପ୍ରାଥମିକ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ମାଧ୍ୟମିକ ଶିକ୍ଷା ପର୍ଯ୍ୟନ୍ତ ସମସ୍ତ ଭିତ୍ତିଭୂମିର ବିକାଶ, ରାଜ୍ୟରେ ପିଏମ-ଶ୍ରୀ ଯୋଜନାର ସଫଳ କାର୍ଯ୍ୟକାରିତା, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟକୁ ଅଧିକରୁ ଅଧିକ ପିଲାଙ୍କ ନିକଟରେ ପହଞ୍ଚାଇବା, ପ୍ରାକ୍-ବିଦ୍ୟାଳୟ ଶିକ୍ଷାକୁ ଗୁରୁତ୍ବ ଦେବା, ପାଠ୍ୟପୁସ୍ତକ ପ୍ରସ୍ତୁତିରେ ରାଜ୍ୟର ଯୋଗଦାନ, ଆଇସିଟି ଓ ଡିଜିଟାଲ ଶିକ୍ଷାର ପ୍ରସାର, ପ୍ରାଥମିକ ଠାରୁ ଉଚ୍ଚ ମାଧ୍ୟମିକ ପର୍ଯ୍ୟନ୍ତ ଉନ୍ନୀତ କରି ଅଧିକରୁ ଅଧିକ ସଂଯୁକ୍ତ ବିଦ୍ୟାଳୟ ଗଠନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଶିକ୍ଷାର ସମୃଦ୍ଧ ଯୋଜନା ପ୍ରସ୍ତୁତି ଓ ଡ୍ରପ୍ ଆଉଟ୍ ହାର ରୋକିବା ପାଇଁ ଘରକୁ ଘର ବୁଲି ୦-୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କର ଚାଲିଥିବା ସର୍ବେକ୍ଷଣର ଉଚ୍ଚ ପ୍ରଶଂସା କରିଛନ୍ତି ।