ସମ୍ବଲପୁରର ସବୁ ମନ୍ଦିରକୁ ଆଧ୍ୟାତ୍ମିକତା ଓ ଆଧୁନିକତା ସହ ଯୋଡାଯିବ- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ଝାଡୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ଲାଇଟ୍ ସୌନ୍ଦର୍ଯ୍ୟୀକରଣର ଉଦଘାଟିତ

*ସମ୍ବଲପୁରର ସବୁ ମନ୍ଦିରକୁ ଆଧ୍ୟାତ୍ମିକତା ଓ ଆଧୁନିକତା ସହ ଯୋଡାଯିବ- ଧର୍ମେନ୍ଦ୍ର ପ୍ରଧାନ*

• ରାତ୍ରୀ ସମୟରେ ମନ୍ଦିର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହେବା ସହ ଦେବାଳୟକୁ ଆସୁଥିବା ଶ୍ରଦ୍ଧାଳୁମାନେ ଉପକୃତ ହେବେ
• ଶୀତଳ ଷଷ୍ଠୀର ଶୁଭେଚ୍ଛା ଜଣାଇବା ସହ ବୁର୍ଲା ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିରରେ ଆଳତି କଲେ

ଝାଡ଼ୁଆପଡ଼ା, ମଇ ୩୦ – ସମ୍ବଲପୁରର ସବୁ ଛୋଟ ବଡ ମନ୍ଦିରକୁ ଆଧ୍ୟାତ୍ମିକତା ଓ ଆଧୁନିକତା ସହ ଯୋଡି ସହରର ନୂଆ ପରିଚୟ ତିଆରି କରାଯିବ ବୋଲି ଗୁରୁବାର ସମ୍ବଲପୁର ଝାଡୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିରରେ ଲାଇଟ୍ ସୌନ୍ଦର୍ଯ୍ୟୀକରଣର ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଶୀତଳ ଷଷ୍ଠୀର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି ଯେ ଝାଡୁଆପଡ଼ା ସ୍ଥିତ ବ୍ରହ୍ମପୁରା ମନ୍ଦିର ଶହ ଶହ ବର୍ଷର ଲୋକଙ୍କ ଧାର୍ମିକ ଆସ୍ଥାର କେନ୍ଦ୍ରବିନ୍ଦୁ ଭାବରେ ରହିଆସିଛି । ଏହି ମନ୍ଦିର ସହ ମୋର ମଧ୍ୟ ଅନେକ ସ୍ମୃତି ଅଛି । ଜିଲ୍ଲା ପ୍ରଶାସନର ଉଦ୍ୟମରେ ହୋଇଥିବା ଏହି ଆଲୋକୀକରଣ ବ୍ୟବସ୍ଥା ଦ୍ୱାରା ଶୀତଳଷଷ୍ଠୀ ଯାତ୍ରା ସମେତ ସ୍ୱତନ୍ତ୍ର ପର୍ବପର୍ବାଣୀ ଦିନ ମନ୍ଦିର କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହେବା ସହ ଦେବାଳୟକୁ ଆସୁଥିବା ଶ୍ରଦ୍ଧାଳୁମାନେ ବିଶେଷ ଭାବରେ ଉପକୃତ ହେବେ । ମହାନଦୀ କୂଳରେ ରିଭରଫ୍ରଣ୍ଟ ସହ ସ୍ଥାନୀୟ ଅଞ୍ଚଳକୁ ଐତିହ୍ୟ କୋରିଡର କରିବା ପାଇଁ ଯୋଜନା କରାଯିବ । ମାଆ ସମଲେଶ୍ୱରୀଙ୍କ ଆଶୀର୍ବାଦରେ ସମ୍ବଲପୁରକୁ ଦେଶ ବିଦେଶରେ ଗୌରବାନ୍ୱିତ କରିବା ପାଇଁ ଉଦ୍ୟମ କରିବା ପାଇଁ ସେ ଆହ୍ୱାନ କରିଛନ୍ତି ।

ଏହା ପୂର୍ବରୁ ଶ୍ରୀ ପ୍ରଧାନ ବୁର୍ଲା ସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିରରେ ଆଳତି କରିଥିଲେ । ଜଗତଜନନୀ ମାତା ପାର୍ବତୀ ଏବଂ ପ୍ରଭୁ ଶିବଙ୍କ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ ବୋଲି ଶ୍ରୀ ପ୍ରଧାନ କାମନା କରିଥିଲେ ।

Comments (0)
Add Comment