ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ 

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସୁଛନ୍ତି ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାର। ବୁଧବାର ଭୁବନେଶ୍ୱର ଆସିବା ପରେ ସେ ଓଡି଼ଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆଜି ଅପରାହ୍ନ ୩ ଟାରେ ଟୋନି ବ୍ଲେୟାର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ରାତି ସାଢେ ୯ଟା ରେ ସେ ଦିଲ୍ଲୀ ଫେରିଯିବେ ବୋଲି ସୂଚନା ରହିଛି। ସୂଚନା ଅନୁଯାୟୀ, ନିକଟରେ ଟୋନି ବ୍ଲେୟାରଙ୍କ ସଂସ୍ଥା ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅପ୍ ଗ୍ଲୋବାଲ ଚେଞ୍ଜ (ଟିବିଆଇ) ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ରୂପାନ୍ତରୀକରଣ ଲକ୍ଷ୍ୟ ପୂରଣ ଦିଗରେ ଟିବିଆଇ ଓଡ଼ିଶା ସରକାରଙ୍କୁ ପରାମର୍ଶ ଦେବ।

ସେହିପରି ଅର୍ଥନୈତିକ ଲକ୍ଷ୍ୟ ହାସଲ ଦିଗରେ ମଧ୍ୟ ଏହା ସହାୟକ ହେବ। ନିବେଶକଙ୍କୁ ଆକୃଷ୍ଟ କରିବା ନେଇ ରାଜ୍ୟ ସରକାରଙ୍କୁ ବିଭିନ୍ନ ପରାମର୍ଶ ଦେବା ସହ ଲୋକଙ୍କ ଭାଗିଦାରୀ ବଢାଇବା ଦିଗରେ ମଧ୍ୟ ଏହି ସଂସ୍ଥା ସହଯୋଗ କରିବ। ଟୋନି ବ୍ଲେୟାରଙ୍କ ଏହି ସଂସ୍ଥା ୪୫ଟି ଦେଶରେ କାର୍ଯ୍ୟ କରୁଛି।

Comments (0)
Add Comment