ରାମଦେବ ବାବାଙ୍କୁ ସହାୟତା କରି ଫସିଲେ ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଯୋଗପୀଠ ପାଇଁ ଜମି ଚୁକ୍ତିରେ ସହାୟତା କରି ଫସିଲେ ପୂର୍ବତନ ନେପାଳ ପ୍ରଧାନମନ୍ତ୍ରୀ ମାଧବ କୁମାର। ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗ ଆସିଛି।

ସୂଚନା ଅନୁଯାୟୀ, ୨୦୦୯ରୁ ୨୦୧୧ ମସିହା ମଧ୍ୟରେ ପତଞ୍ଜଳି ଯୋଗପୀଠ ନେପାଳ କମ୍ପାନୀ ଠାରୁ ବେଆଇନ ଭାବରେ ଅନୁମତିରୁ ଅଧିକ ଜମି କିଣିଥିବା ଅଭିଯୋଗ  ହୋଇଛି। ତେବେ ଉଭୟ ମାଧବ କୁମାର ନେପାଳ ଏବଂ ପତଞ୍ଜଳି ଯୋଗପୀଠ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ନେପାଳର ୟୁନାଇଟେଡ୍ ସୋସିଆଲିଷ୍ଟ ପାର୍ଟିର ନେତା ମାଧବ କୁମାର ନେପାଳ ଏକ ସାକ୍ଷାତକାରରେ  ଯୋଗ ଦେଇ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ପତଞ୍ଜଳି ଜମି ଚୁକ୍ତିକୁ ନେଇ ସେ କୌଣସି ପ୍ରକାରର ବେଆଇନ୍ କିମ୍ବା ଦୁର୍ନିତୀପୂର୍ଣ୍ଣ କାମ କରିନଥିବା ନେଇ ସ୍ପଷ୍ଟ କରିଛନ୍ତି।

ନେପାଳର ଦୁର୍ନୀତି ବିରୋଧୀ ସଂସ୍ଥା କମିଶନ ଫର୍ ଦି ଇନଭେଷ୍ଟିଗେସନ୍ ଅଫ୍ ଅଥରିଟି (CIAA) ଅଭିଯୋଗ କରିଛି ଯେ କାଭରେ ଜିଲ୍ଲାର ଜମିକୁ ପରେ ଅନ୍ୟ ଜମି ସହିତ ଅଦଳବଦଳ କରାଯାଇ ଅଧିକ ମୂଲ୍ୟରେ ବିକ୍ରି କରାଯାଇଥିଲା ଯାହାଦ୍ଵାରା ରାଜ୍ୟକୁ କ୍ଷତିର ସାମ୍ନା କରିବାକୁ ପଡ଼ିଥିଲା। ତେବେ ଏହି ଘଟଣାକୁ ନେଇ କମିଶନ ଜୁନ୍ ୫ ଗୁରୁବାର ଦିନ କାଠମାଣ୍ଡୁର ଏକ ସ୍ୱତନ୍ତ୍ର କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲେ ଓ  କ୍ଷତିପୂରଣ ଦାବିରେ ତାଙ୍କୁ ୧୮.୫କୋଟି ନେପାଳୀ ଟଙ୍କା (ପ୍ରାୟ ୧୩.୫ ଲକ୍ଷ ଡଲାର)ର  ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଯଦି ମାଧବ ଏଥିରେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାହେଲେ ତାଙ୍କୁ  ୧୭ ବର୍ଷ ଜେଲ ଦଣ୍ଡ ମଧ୍ୟ ହୋଇପାରେ।

ଅପରପକ୍ଷରେ ଏହି ପ୍ରସଙ୍ଗରେ ଭାରତରେ ପତଞ୍ଜଳି ଯୋଗପୀଠର ମୁଖପାତ୍ର ଏସକେ ତିଜାରାୱାଲା କହିଛନ୍ତି ଯେ କମ୍ପାନୀ ଉପଯୁକ୍ତ ପ୍ରକ୍ରିୟାକୁ ଅନୁସରଣ କରି ଘରୋଇ ଭାବରେ ଜମି କିଣିଛି। ପତଞ୍ଜଳି କୌଣସି ସରକାରୀ ଜମି କିଣିନାହିଁ।ତେଣୁ ଏହିପରି ଅନାବଶ୍ୟକ ମାମଲାରେ ପତଞ୍ଜଳିକୁ ଅନ୍ତର୍ଭୁକ୍ତ ନ କରାଯାଉ। ତେବେ କମିଶନ କିଛି ପୂର୍ବତନ ମନ୍ତ୍ରୀ ଏବଂ ଅଧିକାରୀ ସମେତ ୯୨ ଜଣଙ୍କ ନାମରେ ଅଭିଯୋଗ କରିଛି। ଅପରପକ୍ଷରେ ଏମାନଙ୍କ ମଧ୍ୟରୁ ଅନେକଙ୍କ ମୃତ୍ୟୁ ହୋଇସାରିଛି।

Comments (0)
Add Comment