ପୁରୀ: ମହାପ୍ରଭୁଙ୍କ ସ୍ନାନଯାତ୍ରାକୁ ଆଉ ମାତ୍ର ଦୁଇ ଦିନ । ଏହା ପରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ସେନେଇ ପ୍ରସ୍ତୁତି ଜୋରଦାର କରାଯାଇଛି । ପୂର୍ବବର୍ଷ ତୁଳନାରେ ଚଳିତ ବର୍ଷ ସ୍ନାନଯାତ୍ରାରେ ଅଧିକ ଭକ୍ତ ସମାବେଶ ହେବା ଆଶା ଥିବା ନେଇ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି ।
ଏହି ସମୟ ମଧ୍ୟରେ ପ୍ରବଳ ଖରା ଗୁଳୁଗୁଳିରେ ଯଦି କୌଣସି ଭକ୍ତଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯାଏ ତେବେ ଭିଡ଼ ଭିତରୁ ଅସୁସ୍ଥ ଭକ୍ତଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯିବା ସହ ଚିକିତ୍ସା ସେବା ଯୋଗାଇ ଦିଆଯିବ ଏବଂ ମେଡ଼ିକାଲକୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତର କରାଯାଇପାରିବ, ସେନେଇ ଏକ ମକଡ୍ରିଲ ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।
ଏହି ମକଡ୍ରିଲରେ ଅଗ୍ନିଶମ ବାହିନୀ, ଏନଡିଆରଏଫ୍, ପୋଲିସ ଏବଂ ସ୍କାଉଟ୍ସ ଏବଂ ଗାଇଡ୍ସ ଭଳି ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ଛାତ୍ରଛାତ୍ରୀ ସାମିଲ୍ ହୋଇଥିଲେ ।
ସେପଟେ ରଥଯାତ୍ରା ପାଖେଇ ଆସୁଥିବା ବେଳେ ତିନି ରଥର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହୋଇଛି । ସ୍ନାନ ପୂର୍ଣ୍ଣିମାରେ ଉଠିବାକୁ ଥିବା ତିନି ରଥର ଚାରି ନାହାକା ଗତକାଲି ଠାରୁ ଉଠି ସାରିଲାଣି ।