ଗୁଜୁରାଟ: ବେଳେବେଳେ ଆମ ଜୀବନରେ ଏପରି ଘଟେ, ଆମେ ସେହି ସମୟରେ ବୁଝି ପାରିନଥାଉ କାହିଁକି ଏମିତି ଘଟିଲା ଆଉ ନିଜ ଭାଗ୍ୟକୁ ଗାଳି ଦେଇଥାଉ । କିନ୍ତୁ ପରେ ଅନୁଭବ ହୁଏ ଭାଗ୍ୟ ବଳବାନ୍ ଥିଲା ଓ ଆମେ ବିପଦରୁ ରକ୍ଷା ପାଇଯାଇଛୁ । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଗତ ଗୁରୁବାର ଦିନ ଜଣେ ମହିଳା ବିମାନବନ୍ଦରର ଚେକ୍-ଇନ୍ ଗେଟ୍ ପାଖରେ ୧୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ ଓ ତେଣୁ ତାଙ୍କୁ ଭିତରକୁ ଯିବାକୁ ଦିଆଯାଇନଥିଲା । ଫଳରେ ସେ ଘରକୁ ଫେରିଆସିଥିଲେ । କିନ୍ତୁ କିଛି ସମୟ ପରେ ସେ ଜାଣିବାକୁ ପାଇଲେ ଯେଉଁ ବିମାନରେ ସେ ଯାଇଥାନ୍ତେ ସେହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି । ଘଟଣା ଘଟିଛି ଅହମ୍ମଦାବାଦର ବାସିନ୍ଦା ଭୂମି ଚୌହାନଙ୍କ ସହ ।
ଅହମ୍ମଦାବାଦର ବାସିନ୍ଦା ଭୂମି ଚୌହାନ ଗତ ଗୁରୁବାର (ଜୁନ୍ ୧୨ ତାରିଖରେ) AI171 ରେ ଲଣ୍ଡନ ଯାତ୍ରା କରିଥାନ୍ତେ। ସହରର ଟ୍ରାଫିକକୁ ଦୃଷ୍ଟିରେ ରଖି ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ଘରୁ ବାହାରି ଯାଇଥିଲେ। ଏହା ସତ୍ତ୍ୱେ, ସେ ଅହମ୍ମଦାବାଦର ପ୍ରବଳ ଟ୍ରାଫିକ୍ ଜାମ୍ରେ ଅନେକ ସ୍ଥାନରେ ଫସି ରହିଥିଲେ। ଏହି କାରଣରୁ ଭୂମି ସର୍ଦ୍ଦାର ବଲ୍ଲଭ ଭାଇ ବିମାନବନ୍ଦରରେ ୧୦ ମିନିଟ୍ ବିଳମ୍ବରେ ପହଞ୍ଚିଥିଲେ, ଯାହା ଫଳରେ ତାଙ୍କୁ ବିମାନରେ ଚଢ଼ିବାକୁ ଅନୁମତି ଦିଆଗଲା ନାହିଁ ଏବଂ ସେ AI171 ବିମାନରେ ଉଡାଣ ଭରି ପାରିଲେନାହିଁ । ସେ ଦୁଃଖିତ ହୋଇ ଘରକୁ ଫେରିଥିଲେ ।
ସୂଚନାଥାଉକି, ଜୁନ୍ ୧୨ ତାରିଖରେ ଲଣ୍ଡନ ଗାଟୱିକ୍ ପାଇଁ ଯାଉଥିବା ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ଅହମ୍ମଦାବାଦରୁ ଉଡ଼ାଣ ଭରିବାର କିଛି ମୁହୂର୍ତ୍ତ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ଜଣେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି । ଯାହା କେଉଁ ଚମତ୍କାର ଠାରୁ କମ ନୁହେଁ ବୋଲି କୁହାଯାଉଛି । ଏହି ବିମାନ ଦୁର୍ଘଟଣାରେ ସବୁକିଛି ପୋଡି ପାଉଁଶ ହୋଇଯାଇଛି ।