ଭୁବନେଶ୍ୱର: ପୁଣି ବଢ଼ିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ। ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ ଦେଇ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପୁଣି ଥରେ ବୃଦ୍ଧି କରାଯାଇଛି । ରାଜ୍ୟ ସରକାର ୨ ଟଙ୍କା ୯୨ ପଇସା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ମୂଲ୍ୟ ପରେ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ମୁଣ୍ଡ ପିଛା ଦୈନିକ ୧୧ ଟଙ୍କା ୧୫ ପଇସା, ଉଚ୍ଚ ପ୍ରାଥମିକ ଶିକ୍ଷାର୍ଥୀଙ୍କ ପାଇଁ ମୁଣ୍ଡ ପିଛା ୧୪ ଟଙ୍କା ୭୪ ପଇସା ରନ୍ଧନ ସାମଗ୍ରୀ ଖର୍ଚ୍ଚ ପ୍ରଦାନ କରାଯିବ । ଏହାକୁ ପିଛିଲା ଭାବେ ମେ ୧ରୁ ଲାଗୁ କରାଯିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଚିଠିରେ କୁହାଯାଇଛି, ରାଜ୍ୟ ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ପୋଷଣକୁ ଗୁରୁତ୍ୱ ଦେଇ ସପ୍ତାହକୁ ତିନୋଟି ପୁଷ୍ଟିକର ଲଡୁ ଓ ଗୋଟିଏ ଅତିରିକ୍ତ ଅଣ୍ଡା ୨୦୨୫-୨୬ ଶିକ୍ଷାବର୍ଷରୁ ପ୍ରଦାନ କରାଯାଉଛି । ଅତିରିକ୍ତ ପୁଷ୍ଟିସାରଯୁକ୍ତ ସାମଗ୍ରୀ ପ୍ରଦାନ ହେତୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦାଳୟର ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ରନ୍ଧନ ସାମଗ୍ରୀ ମୂଲ୍ୟ ୨ ଟଙ୍କା ୯୨ ପଇସା ରାଜ୍ୟ ସରକାର ବୃଦ୍ଧି କରିଛନ୍ତି ।