ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ;କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି

ଭୁବନେଶ୍ବର:ବିଏମସି ଅଫିସ୍‌ରେ ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ । ଅସୁସ୍ଥ ଅନୁଭବ କରିବାରୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଅଫିସ୍‌ ଭିତରେ ଅସୁସ୍ଥ ହେବାରୁ ଆମ୍ବୁଲାନ୍ସରେ ଗଲେ ହସ୍ପିଟାଲ୍‌ ।ସୂଚନାଯୋଗ୍ୟ,ଗତ ସୋମବାର ବିଏମସି ଅଫିସ୍ ଭିତରେ ଜନଶୁଣାଣି ଚାଲିଥିବା ବେଳେ ୬ରୁ ୭ ଜଣ ଯୁବକ ଅତି ଅମାନୁଷିକ ଭାବେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ପିଟିଥିଲେ। ତାଙ୍କୁ ତଳେ ପକାଇ ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାରିବାକୁ ପଛାଇନଥିଲେ।

ଗତ ସୋମବାର ଦିନ ଆକ୍ରମଣ ଯୋଗୁଁ ଅତିରିକ୍ତ କମିଶନର ରତ୍ନାକର ସାହୁ ଆଜି ଅପରାହ୍‌ଣରେ ସେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିବା ଆଶଙ୍କା କରାଯାଉଛି। ରତ୍ନାକର ସାହୁଙ୍କ ଛାତିରେ ଯନ୍ତ୍ରଣା ହୋଇଛି । ବର୍ତ୍ତମାନ ତାଙ୍କର ଚିକିତ୍ସା ଜାରି ରହିଛି ।

ସୂଚନାଥାଉକି, ଆକ୍ରମଣର ଶିକାର ହେଲା ପରେ ରତ୍ନାକର ଖାରବେଳ ନଗର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏପର୍ଯ୍ୟନ୍ତ ୫ ଜଣଙ୍କୁ ଗିରଫ କରିଛି। ଗତକାଲି ସଂଜୀବ ମିଶ୍ର ଓ ସଚିକାନ୍ତ ସ୍ବାଇଁ ନାମରେ ୨ ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି। ଗତ ସୋମବାର ଦିନ ତିନିଜଣ ଅଭିଯୁକ୍ତ (ଜୀବନ ରାଉତ, ରଶ୍ମି ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନ)ଙ୍କୁ ଗିରଫ କରିଥିଲା।

ଅନ୍ୟପଟେ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ ଘଟଣାକୁ ପରେ ଏବେ ମେୟରଙ୍କୁ ଘାରିଛି ବିଏମସି ଅଫିସ ସୁରକ୍ଷା ଚିନ୍ତା । ଏନେଇ ମେୟର ସୁଲୋଚନା ଦାସ ବିଏମସି ଅଫିସର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି । ଏଥିସହିତ ଯିଏ ମାଷ୍ଟରମାଇଣ୍ଡ ତାକୁ ଗିରଫ କରାଯାଉ ବୋଲି ଦାବି କରିଛନ୍ତି ମେୟର ।

ଆଜି ଅଫିସ୍‌ରେ ବୈଠକ ପରେ କଡ଼ା ପ୍ରତିକ୍ରିୟା ରଖି ମେୟର କହିଛନ୍ତି, ଛିଡ଼ା ହୋଇ ରହୁଥିବା ସୁରକ୍ଷାକର୍ମୀ ଦରକାର ନାହିଁ, ଗନ୍‌ମ୍ୟାନ୍‌ ଦରକାର । ଯଦି ସେମାନେ କର୍ମଚାରୀଙ୍କୁ ସୁରକ୍ଷା ଦେଇ ପାରୁ ନାହାଁନ୍ତି, ତେବେ କାହିଁକି ରହିବେ । ସେହିପରି ସିସିଟିଭି ଅଚଳ ନେଇ ସ୍ମାର୍ଟ ସିଟି ସଂସ୍ଥାକୁ ଟାର୍ଗେଟ୍‌ କରିଛନ୍ତି ।

Comments (0)
Add Comment