‘ବୋଟକ୍ସକୁ କୁହ ବାଏ ବାଏ’: ଶେଫାଳୀଙ୍କ ମୃତ୍ୟୁକୁ ନେଇ ପ୍ରଶଂସକଙ୍କୁ ପରାମର୍ଶ ଦେଲେ ମଲ୍ଲିକା

ମୁମ୍ବାଇ: ୪୨ ବର୍ଷୀୟା ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି। ଏତେ କମ ବୟସରେ ସେ ହୃଦଘାତରେ ମୃତ୍ୟୁ ହେବା ଏବେ ସାଧାରଣ ଲୋକଙ୍କର ଚିନ୍ତା ବଢାଇଛି। କାରଣ ଗତ କିଛି ଦିନ ମଧ୍ୟରେ କମ୍ ବୟସରେ ହୃଦଘାତରେ ଅନେକ କଳାକାରଙ୍କ ମୃତ୍ୟୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରୁଛନ୍ତି। ଅନ୍ୟପଟେ ଶେଫଳୀଙ୍କ ମୃତ୍ୟୁର କାରଣ ମଧ୍ୟ ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ବଲିଉଡ ଜଗତରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ବୟସର ଛାପ କମ୍ କରିବାକୁ ଓ ସୌନ୍ଦର୍ଯ୍ୟ ବଜାୟ ରଖିବାକୁ ଶେଫାଳୀ ନେଉଥିବା ଇଞ୍ଜେକସନ ତାଙ୍କ ମୃତ୍ୟୁ କାରଣ ବୋଲି କୁହାଯାଉଛି।

୪୨ ବର୍ଷୀୟା ଅଭିନେତ୍ରୀ ଶେଫାଳୀ ଜରିୱାଲାଙ୍କ ଆକସ୍ମିକ ମୃତ୍ୟୁ ପରେ, ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାୱତ ବୋଟକ୍ସ ଏବଂ ଆଣ୍ଟି ଏଜିଂ ପିଲ୍ ବ୍ୟବହାର ନକରିବାକୁ ପ୍ରଶଂସକମାନଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ମଲ୍ଲିକା କୌଣସି ମେକଅପ୍ ଏବଂ କୌଣସି ଫିଲ୍ଟର ବିନା ଏକ ଭିଡିଓ ସେୟାର କରିଛନ୍ତି ଏବଂ ଲୋକମାନଙ୍କୁ କୃତ୍ରିମ କସମେଟିକ୍ ପ୍ରକ୍ରିୟାରୁ ବିରତ ରହିବାକୁ ଅନୁରୋଧ କରିଛନ୍ତି।

ସେ ତାଙ୍କ ଫଲୋୱର୍ସଙ୍କୁ ଏକ ପ୍ରାକୃତିକ ଏବଂ ସୁସ୍ଥ ଜୀବନଶୈଳୀ ଗ୍ରହଣ କରିବାକୁ ଉତ୍ସାହିତ ମଧ୍ୟ କରିଛନ୍ତି। ସେ ପୋଷ୍ଟରେ କହିଛନ୍ତି, “ମୁଁ ଏକ ସେଲଫି ଭିଡିଓ ତିଆରି କରି ଆପଣଙ୍କ ସମସ୍ତଙ୍କ ସହିତ ସେୟାର କରୁଛି। ମୁଁ କୌଣସି ଫିଲ୍ଟର ବ୍ୟବହାର କରୁନାହିଁ, କୌଣସି ମେକଅପ୍ ମୁଁ ଲଗାଇ ନାହିଁ…ମୁଁ ଏହି ଭିଡିଓ ଆପଣଙ୍କ ସହିତ ସେୟାର କରୁଛି ଯାହା ଦ୍ୱାରା ଆମେ ସମସ୍ତେ ମିଶି ବୋଟକ୍ସକୁ ନା କହିପାରିବୁ, କୃତ୍ରିମ କସମେଟିକ୍ ଫିଲରକୁ ନା କହିପାରିବୁ ଏବଂ ଜୀବନକୁ ହଁ, ସୁସ୍ଥ ଜୀବନଯାପନର ଶୈଳୀକୁ ହଁ କହିପାରିବୁ…ତେଣୁ ଆଜିଠାରୁ ବୋଟକ୍ସକୁ ବାଏ ବାଏ।”

ସୂଚନା ଥାଉକି ଜୁନ ୨୭ ତାରିଖ ରାତିରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ଅଭିନେତ୍ରୀ ଶେଫାଳୀ ଜରିୱାଲା । ରାତି ୧୦ଟାରୁ ୧୨ଟା ଭିତରେ ଦେହ ଅଧିକ ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର ପଛର କାରଣ ଆଣ୍ଟି ଏଜିଂ ବା ଚେହେରାରେ ବୟସର ଛାପ କମ୍ କରିବା ପାଇଁ ନିଆଯାଉଥିବା ଇଞ୍ଜେକସନ ହୋଇଥାଇପାରେ ବୋଲି ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି।

ଜୁନ୍ ୨୭ ତାରିଖରେ ହଠାତ୍ ଶେଫାଳୀଙ୍କ ଛାତିରେ ଯନ୍ତ୍ରଣା ସହ ରକ୍ତଚାପ ମଧ୍ୟ କମିଥିବା ଡାକ୍ତରୀ ରିପୋର୍ଟରେ ଦର୍ଶାଯାଇଛି। ଶେଫାଳୀଙ୍କ ଘରୁ ଅନେକ ପ୍ରକାର ଔଷଧ ଓ ଇଞ୍ଜେକ୍ସନ ପାଇଛି ପୋଲିସ। ପୋଲିସ ଅନ୍ୟ କିଛି ଦିଗରୁ ମଧ୍ୟ ତଦନ୍ତ କରୁଛି। ମଡେଲିଂ, ସିନେମା ଏବଂ ମ୍ୟୁଜିକ ଭିଡିଓରେ ନିଜର ନିଆରା ପରିଚୟ ବନାଇଥିବା ଶେଫାଳୀ କାଣ୍ଟା ଲଗା ଗର୍ଲ ଭାବେ ବେଶ ଜଣାଶୁଣା ଥିଲେ। ମାତ୍ର ୪୨ବର୍ଷ ବୟସରେ ତାଙ୍କ ପରଲୋକ ମନୋରଞ୍ଜନ ଜଗତକୁ ସ୍ତବ୍ଧ କରିଦେଇଛି।

Comments (0)
Add Comment