ଅତ୍ୟାଧୁନିକ ଆମ୍ବୁଲାନ୍ସ ଓ ନଡ଼ିଆ ସଂଗ୍ରହ ବାହନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

 

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରି ଦରବାର ହଲଠାରେ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଏଥିସହିତ ଅତ୍ୟାଧୁନିକ ଆମ୍ବୁଲାନ୍ସ ଓ ନଡ଼ିଆ ସଂଗ୍ରହ ବାହନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

 

ଆୟୋଜିତ ଏକ ଉତ୍ସବରେ ଇଣ୍ଡିଆନ୍ ବାଏ ବାର୍ଥ ସଂଗଠନ ଦ୍ୱାରା ପ୍ରାୟୋଜିତ ତିନୋଟି ଉନ୍ନତ ଜୀବନ ରକ୍ଷାକାରୀ ଆମ୍ବୁଲାନ୍ସର ଉନ୍ମୋଚନ କରିଥିଲେ। ଯାହା ସମଗ୍ର ଅଞ୍ଚଳରେ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇବାରେ ଉଲ୍ଲେଖନୀୟ ଅବଦାନ ରଖିପାରିବ।

 

ଏହି ବୈଠକରେ ମୁଖ୍ୟମନ୍ତ୍ରୀ, ଜଙ୍ଗଲ ସୁରକ୍ଷା, ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ, ସଡ଼କ, ପରିବହନ, ସ୍ୱାସ୍ଥ୍ୟ, ଶିକ୍ଷା, ଜଳସେଚନ, ମହିଳା ସଶକ୍ତିକରଣ, କୃଷି ସମେତ ଶିଳ୍ପ ସମ୍ବନ୍ଧରେ ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।

 

ମୁଖ୍ୟମନ୍ତ୍ରୀ ରାଇସୁଆଁ ଏୟାର୍ ଷ୍ଟ୍ରିପ୍, କେନ୍ଦୁଝର ବାଇପାସ୍, ଆଇକନିକ୍ ବ୍ରିଜ୍, ରେଲୱେ ଷ୍ଟେସନ୍ ରାସ୍ତା, ନୁଦୁରପଡ଼ାରୁ କାଳିଆହତା ରାସ୍ତା, ପିଠାଗୋଳା ରାସ୍ତା (ହରିଚନ୍ଦନପୁରରୁ ତେଲକୋଇ), ଶୁଆକଟି ଦୁଗୁନା ବ୍ରିଜ୍ ବୈତରଣୀ ନଦୀ ଉପରେ ମାଇନିଙ୍ଗ କରିଡ଼ର ଓ ଅନ୍ୟ ମୁଖ୍ୟ ରାସ୍ତା କାମର ସମୀକ୍ଷା ମଧ୍ୟ କରିଥିଲେ। ଏହାସହିତ ମନୋହରପୁରରୁ ପିଠାଗୋଳା ରାସ୍ତା, ଘଟଗାଁ-ହରିଚନ୍ଦନପୁର-ଦୈତାରି ରାସ୍ତା, ଢେଙ୍କିକୋଟରୁ ବାରହାଟିପୁରା ରାସ୍ତା, ଘଟଗାଁରୁ ଗୁଣ୍ଡିଚାଘାଗି ରାସ୍ତାର ଉନ୍ନତିକରଣ ପ୍ରକଳ୍ପଗୁଡିକର ସମୀକ୍ଷା କରିବା ସହ ରାମଚନ୍ଦ୍ରପୁରରୁ ଦେଓଗାଁ ବ୍ରିଜ ଶୀଘ୍ର ଶେଷ, ନୂଆ ରାସ୍ତା ଓ ବ୍ରିଜ୍ ଗୁଡ଼ିକର ନୂତନ ପ୍ରସ୍ତାବ ମଧ୍ୟ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍କିଟ ହାଉସ ଆନେକ୍ସ୍ ବିଲଡିଂ କାମ ତ୍ୱରାନ୍ୱିତ କରିବା, ଡିପିଆର ପ୍ରସ୍ତୁତି, ଭୂମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ।

ବନ ବିଭାଗର ସମସ୍ତ ସମସ୍ୟା ଶୀଘ୍ର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟେଣ୍ଡର କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟାନୁସାରେ କାର୍ଯ୍ୟକାରୀ କରିବା ଓ ସମସ୍ତ କାର୍ଯ୍ୟର ଗୁଣବତ୍ତା ବଜାୟ ରଖିବା ଉପରେ ଗୁରୁତ୍ଵ ଦେଇଥିଲେ। ଏହା ବ୍ୟତୀତ କେଉଁଝର ଜିଲ୍ଲା ପ୍ରଶାସନ ରାସ୍ତା ସଂଯୋଗୀକରଣ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଗ୍ରାମୀଣ ବିକାଶକୁ ବୃଦ୍ଧି କରିବା ପାଇଁ ଅନେକ ମହତ୍ୱାକାଂକ୍ଷୀ ଭିତ୍ତିଭୂମି ଏବଂ କଲ୍ୟାଣକାରୀ ପ୍ରକଳ୍ପ ହାତକୁ ନେଇଛି। ବଡ଼ବିଲ୍ ବାଇପାସ୍ ପ୍ରକଳ୍ପ ଏବଂ ଏନଏଚ-୪୯ ସମ୍ପ୍ରସାରଣ ଦ୍ଵାରା ଆଞ୍ଚଳିକ ସଂଯୋଗୀକରଣକୁ ବୃଦ୍ଧି, ସ୍ୱାସ୍ଥ୍ୟସେବା ଓ ଶିକ୍ଷା ସେବାକୁ ଆହୁରି ସୁଦୃଢ଼ ଉପରେ ଗୁରୁତ୍ୱାରୋପ କରିଥିଲେ। ସେହିପରି ଯେଉଁ ସ୍ଥାନରେ ପାନୀୟ ଜଳର ଅସୁବିଧା ହେଉଛି ସେଠାରେ ଅଧିକାରୀ ମାନେ ଯଥାଶୀଘ୍ର ପଦକ୍ଷେପ ନେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

 

ପ୍ରସ୍ତାବିତ ବଡ଼ବିଲରୁ ଚଣ୍ଡିଖୋଲ ରାସ୍ତାର ସମ୍ପ୍ରସାରଣର ବିସ୍ତୃତ ରିପୋର୍ଟ ପ୍ରସ୍ତୁତି କାର୍ଯ୍ୟକୁ ଶୀଘ୍ର ଶେଷ କରିବା, ରିମୁଳି ରୁ ପାଣିକୋଇଲି ରାସ୍ତା, ରୀମୁଳିରୁ ରାଜାମୁଣ୍ଡା ରାସ୍ତା ଏବଂ ଜାତୀୟ ରାଜପଥ ପ୍ରାଧିକରଣ ଅନ୍ତର୍ଗତ ଅନ୍ୟାନ୍ୟ ରାସ୍ତାର ମରାମତି ଅବା ଅନ୍ୟାନ୍ୟ ଅସୁବିଧା ଗୁଡ଼ିକୁ ଶୀଘ୍ର ସମାଧାନ କରାଯାଇ ରିପୋର୍ଟ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ଷ୍ଟିଲ ପ୍ଳାଣ୍ଟ ନିର୍ମାଣ, ମା’ ତାରିଣୀ ପୀଠର ଉନ୍ନତିକରଣ, ବଡ଼ବିଲ ବାଇପାସ୍, କାଶିପୁର ଓ ପାୱାର ହାଉସ୍ ପୋଖରୀ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ। ସେହିପରି ଜଙ୍ଗଲ ଜମି ହସ୍ତାନ୍ତର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

 

ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଘସିପୁରା ବଦ୍ରିନାରାୟଣ ପାତ୍ର, ବିଧାୟକ ଚମ୍ପୁଆ ସନାତନ ମହାକୁଡ଼, ବିଧାୟକ ପାଟଣା ଅଖିଳ ଚନ୍ଦ୍ର ନାଏକ, ବିଧାୟକ ତେଲକୋଇ ଡାକ୍ତର ଫକୀର ମୋହନ ନାଏକ, ଜିଲ୍ଲା ପରିଷଦର ଅଧ୍ୟକ୍ଷା ସାଗରିକା ସାହୁ, ପୋଲିସ ଡିଆଇଜି ବ୍ରିଜେଶ ରାଏ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି. ରାମାସ୍ଵାମୀ, ଜିଲ୍ଲାପାଳ ବିଶାଲ ସିଂହ, ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର, ବନଖଣ୍ଡ ଅଧିକାରୀ ଏଚଡ଼ି ଧନରାଜ ଏବଂ କେନ୍ଦୁଝରଗଡ଼ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଏବଂ ଜିଲ୍ଲାର ସମସ୍ତ ପଦସ୍ଥ ଅଧିକାରୀ ଉପସ୍ଥିତ ଥିଲେ।

 

ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପ୍ରାୟୋଜିତ ଘଟଗାଁ ମା ତାରିଣୀ ମନ୍ଦିର ପାଇଁ ଏକ ଉତ୍ସର୍ଗୀକୃତ ନଡ଼ିଆ ସଂଗ୍ରହ ଯାନର ଶୁଭାରମ୍ଭ କରିଥିଲେ। ଯାହା ଭକ୍ତ ମାନଙ୍କ ଧର୍ମୀୟ ଭାବନାକୁ ଅକ୍ଷୁଣ୍ଣ ରଖିବା ସହ ଭକ୍ତ ଓ ତାରିଣୀ ମା‘ଙ୍କ ମଧ୍ୟରେ ଥିବା ଦୂରତ୍ୱକୁ ହ୍ରାସ କରିପାରିବ। ଆହୁରି ମଧ୍ୟ ମୁଖ୍ୟମନ୍ତ୍ରୀ ଅଭିନବ ଏକଲ ରଥ ମୋବାଇଲ୍ ଶିକ୍ଷା ୟୁନିଟର ମଧ୍ୟ ଶୁଭାରମ୍ଭ କରିଥିଲେ ଯାହା ଦୂରଦୂରାନ୍ତରେ ଜନସାଧାରଣଙ୍କୁ ସଂସ୍କୃତି ଶିକ୍ଷା ସମ୍ବଳ ଯୋଗାଇବ। ଏହା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ନବନିର୍ମିତ ପ୍ରତୀକ୍ଷା ଗୃହର ମଧ୍ୟ ଉଦଘାଟନ କରିଥିଲେ।

Comments (0)
Add Comment