‘ଭାରତ ଉପରେ ଅଧିକ ଟାରିଫ୍ ଲଗାଇବି’,ଋଷରୁ ତେଲ କିଣିବା ନେଇ ପୁଣି ଧମକ ଦେଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଭାରତକୁ ଟାରିଫ୍ ଧମକ ଦେଇଛନ୍ତି। ଡୋନାଲ୍ଡ ଟ୍ରମ୍ପ ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତ ଋଷରୁ ‘ପ୍ରଚୁର ପରିମାଣରେ’ ତେଲ କିଣୁଥିବା ଅଭିଯୋଗ କରି ଭାରତ ବିରୋଧରେ ଟାରିଫ୍‌ (ଶୁଳ୍କ) ବୃଦ୍ଧି କରିବାକୁ ଧମକ ଦେଇଛନ୍ତି।

 

ଟ୍ରମ୍ପ ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ‘ଭାରତ କେବଳ ବିପୁଳ ପରିମାଣର ଋଷ ତେଲ କିଣୁନାହିଁ ବରଂ ଶସ୍ତାରେ କିଣି ବଡ଼ ଅଂଶର ଲାଭ ରଖି ଖୋଲା ବଜାରରେ ବିକ୍ରି କରୁଛି।’

 

ଟ୍ରମ୍ପ ଆହୁରି କହିଛନ୍ତି,’ୟୁକ୍ରେନରେ ଋଷର ଯୁଦ୍ଧ ମେସିନ ଦ୍ୱାରା କେତେ ଲୋକ ମରୁଛନ୍ତି ତାହା ସେମାନଙ୍କୁ ଚିନ୍ତା ନାହିଁ। ଏହି କାରଣରୁ, ମୁଁ ଭାରତ ଆମେରିକାକୁ ଦେଉଥିବା ଟାରିଫ୍‌କୁ ଯଥେଷ୍ଟ ବୃଦ୍ଧି କରିବି।’

 

ସୂଚନାଥାଉକି, ନୂତନ ଶୁଳ୍କ ପ୍ରତିଶତ କେତେ ହେବ ତାହା ସେ ସ୍ପଷ୍ଟ କରି ନାହାଁନ୍ତି। ପ୍ରଥମ ଥର ପାଇଁ, ଟ୍ରମ୍ପ ୟୁକ୍ରେନରେ ମୃତ୍ୟୁ ସହିତ ଭାରତର ଋଷ ନୀତିକୁ ଯୋଡ଼ି ଏହାକୁ ଏକ ଭିନ୍ନ ରୂପ ଦେଇଛନ୍ତି।

ନିକଟରେ ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ୍‌ ଲାଗୁ କରିଛି। ଯାହା ଅଗଷ୍ଟ ୧ରୁ କାର୍ଯ୍ୟକାରୀ ହେବାର ଥିଲା । କିନ୍ତୁ ଏବେ ଏହାକୁ ଗୋଟିଏ ସପ୍ତାହ ପାଇଁ ସ୍ଥଗିତ ରଖାଯାଇଛି। ଆମେରିକା ଦ୍ୱାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀରେ, ଏବେ ଏହି ଶୁଳ୍କ ୭ ଦିନ ପରେ ଲାଗୁ କରାଯିବ ।

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ନିକଟରେ କହିଛନ୍ତି ଯେ, ଭାରତ ଯେଉଁ ଋଷ ତେଲ କିଣୁଛି ତାହା ମସ୍କୋକୁ ୟୁକ୍ରେନ ଯୁଦ୍ଧରେ ସାହାଯ୍ୟ କରୁଛି। ଟ୍ରମ୍ପ ଭାରତ ଉପରେ ରାଗିଛନ୍ତି କାରଣ ଯେତେବେଳେ ତେଲ କିଣିବା ପାଇଁ ଏତେ ବିକଳ୍ପ ଅଛି,ଭାରତ ଋଷଠାରୁ କାହିଁକି କିଣୁଛି।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଭାରତ-ଋଷ ଶକ୍ତି ସମ୍ପର୍କ ଉପରେ କହିଛନ୍ତି, “ଆମେ ବିଶ୍ୱ ପରିସ୍ଥିତି ଏବଂ ବଜାରରେ ଉପଲବ୍ଧ ବିକଳ୍ପଗୁଡ଼ିକ ଆଧାରରେ ଆମର ଶକ୍ତି ଆବଶ୍ୟକତା ସ୍ଥିର କରୁ।”

Comments (0)
Add Comment