ରାଜସ୍ଥାନର ମନିକା ବିଶ୍ୱକର୍ମା ହେଲେ ମିସ୍‌ ୟୁନିଭର୍ସ ଇଣ୍ଡିଆ ୨୦୨୫

ଜୟପୁର: କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳେ। ଆଉ ଯଦି ଜଣେ ବ୍ୟକ୍ତଙ୍କ ସ୍ୱପ୍ନ ବଡ଼ ହୁଏ ଏବଂ ଜିତିବାର ଉତ୍ସାହ ଅକ୍ଷୁର୍ଣ୍ଣ ରହେ, ତେବେ ମନରେ ଯାହା ସ୍ଥିର ହୁଏ ତାହା ପୁରଣ ହୋଇପାରେ। ଆଉ ଏହାକୁ ସତ ପ୍ରମାଣ କରିଛନ୍ତି ରାଜସ୍ଥାନର ୨୨ବର୍ଷୀୟା ସୁନ୍ଦରୀ ମନିକା ବିଶ୍ବକର୍ମା। ରାଜସ୍ଥାନର ଜୟପୁରରେ ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଆୟୋଜନ କରାଯାଇଥିଲା, ଯେଉଁଥିରେ ମନିକା ବିଶ୍ୱକର୍ମା ଜିତିବା ସହ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ ।

ଏହି ପ୍ରତିଯୋଗିତାରେ ୟୁପିର ତାନିୟା ଶର୍ମା, ହରିୟାଣାର ମେହକ ଢିଙ୍ଗ୍ରା ପ୍ରଥମ ଓ ଦ୍ବିତୀୟ ରନରଅପ୍ ହୋଇଛନ୍ତି। ଏହି ପ୍ରତିଯୋଗିତା ଜିତିବା ପରେ ଥାଇଲାଣ୍ଡରେ ହେବାକୁ ଥିବା ମିସ୍‌ ୟୁନିଭର୍ସ ପ୍ରତିଯୋଗିତାରେ ଭାଗ ନେବେ ମନିକା ବିଶ୍ବକର୍ମା। ସୋସିଆଲ ମିଡ଼ିଆରେ ସାହସ ଓ ସରଳତା ସହିତ ଲୋକଙ୍କୁ ଆକର୍ଷିତ କରୁଥିବା ମନିକା ବିଶ୍ୱକର୍ମାଙ୍କ ସୌନ୍ଦର୍ଯ୍ୟଭରା ଆଖି ଏବଂ ଆତ୍ମବିଶ୍ୱାସର ହସ ସହିତ ଜୁରିଙ୍କ ହୃଦୟ ଜିତିଥିଲେ। ବର୍ତ୍ତମାନ ତାଙ୍କର ନଜର ସବୁଠାରୁ ବଡ ମୁକୁଟ ଉପରେ।

ପୂର୍ବରୁ ୨୦୨୪ରେ ମନିକାଙ୍କୁ ମିସ୍‍ ୟୁନିଭର୍ସ ରାଜସ୍ଥାନ ପାଇଁ ଚୟନ କରାଯାଇଥିଲା। ବର୍ତ୍ତମାନ ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମୁକୁଟ ଜିତିବା ପରେ ସେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍‍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବାର ଦେଖିବାକୁ ମିଳିବ। ଯାହା ଏହି ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି। ମନିକା ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ ଜଣେ କଳାକାର ମଧ୍ୟ। ସେ ଲଳିତ କଳା ଏକାଡେମୀ ଏବଂ ଜେ.ଜେ ସ୍କୁଲ ଅଫ୍‍ ଆର୍ଟସ୍‍ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି। କେବଳ ସେତିନି ନୁହେଁ ସେ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଅନ୍ତର୍ଜାତୀୟ ପଦକ୍ଷେପରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି।

Comments (0)
Add Comment