ନୂଆଦିଲ୍ଲୀ: ବୁଧବାର ଦିନ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ କାନ୍ଧରେ କାନ୍ଧ ମିଶାଇ ଚାଲିବା ସମୟରେ, ଏକ ହଟ୍ ମାଇକ୍ ସେମାନଙ୍କୁ ଅଙ୍ଗ ପ୍ରତିରୋପଣ ଏବଂ ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବା ସମ୍ଭାବନା ଉପରେ ଆଲୋଚନା କରୁଥିବାର କଏଦ କରିଥିଲା। ପୁଟିନ ଏବଂ ଜିନପିଙ୍ଗ ଉତ୍ତର କୋରିଆର କିମ ଜଙ୍ଗ ଉନଙ୍କ ସହ ବେଜିଂରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମାପ୍ତିର ୮୦ ତମ ବାର୍ଷିକୀ ଉପଲକ୍ଷେ ଏକ ସାମରିକ ପରେଡ୍ ଦେଖିବା ପାଇଁ ବେଜିଂର ତିଆନାନମେନ ସ୍କୋୟାରକୁ ଯାଉଥିବା ସମୟରେ ଏହି ଆଲୋଚନା କରୁଥିଲେ। ନେତାମାନଙ୍କ ଆଲୋଚନାର ମୁହୂର୍ତ୍ତକୁ ରାଷ୍ଟ୍ରାୟତ୍ତ ପ୍ରସାରକ ସିସିଟିଭି ଏବଂ ଚୀନର ରାଷ୍ଟ୍ରାୟତ୍ତ ପ୍ରସାରକ CGTN, AP ସମେତ ଅନ୍ୟାନ୍ୟ ଗଣମାଧ୍ୟମରେ ଲାଇଭଷ୍ଟ୍ରିମ୍ କରାଯାଇଥିଲା।
ଭାଇରାଲ ଭିଡିଓରେ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅନୁବାଦକଙ୍କୁ ଚୀନୀ ଭାଷାରେ କହୁଥିବାର ଶୁଣାଯାଇଥିଲା ଯେ ଜୈବ ପ୍ରଯୁକ୍ତିବିଦ୍ୟା ନିରନ୍ତର ବିକାଶଶୀଳ… ମାନବ ଅଙ୍ଗ ନିରନ୍ତର ପ୍ରତିରୋପଣ କରାଯାଇପାରିବ। ଆପଣ ଯେତେ ଅଧିକ ଦିନ ବଞ୍ଚିବେ, ଆପଣ ସେତେ ଯୁବ ହେବେ ଏବଂ ଆପଣ ଅମରତ୍ୱ ମଧ୍ୟ ହାସଲ କରିପାରିବେ । ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ । ଆଉ ଅପରପକ୍ଷେ ଜିନପିଙ୍ଗ ଉତ୍ତର ଦେଇଥିଲେ, କିଛି ଲୋକ ଆକଳନ କରନ୍ତି ଯେ ଏହି ଶତାବ୍ଦୀରେ, ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବେ। ତାଙ୍କ ସାଥିରେ ଚାଲୁଥିବା କିମ ଜୋଙ୍ଗ ଉନ ତାଙ୍କ କଥା ଶୁଣି ହସିବାର ଶୁଣାଯାଉଛି ।
ତେବେ କହିରଖୁଛୁ, ଚୀନ୍ ଏହି ସାମରିକ ପରେଡରେ ପ୍ରଥମ ଥର ପାଇଁ ଅନେକ ନୂତନ ଅସ୍ତ୍ର ପ୍ରଦର୍ଶନ କରିଥିଲା, ଯାହା ଦ୍ୱାରା ଲେଜର ଅସ୍ତ୍ର, ପରମାଣୁ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର, ପାଣି ତଳେ କାର୍ଯ୍ୟ କରୁଥିବା ବିଶାଳ ଡ୍ରୋନ୍, ଏବଂ ପଞ୍ଚମ ପିଢ଼ିର ବିମାନ ସମେତ ଏହାର ଶକ୍ତି ପ୍ରଦର୍ଶନ କରାଯାଇଥିଲା। ପିପୁଲ୍ସ ଲିବରେସନ ଆର୍ମି (PLA)ର ପରେଡରେ ପ୍ରଦର୍ଶିତ ଏକ ବହୁ ଚର୍ଚ୍ଚିତ ନୂତନ ଅସ୍ତ୍ର ଥିଲା LY-1 ଲେଜର ଅସ୍ତ୍ର। ଆଠ ଚକିଆ HZ-155 ଆର୍ମର୍ଡ ଟ୍ରକରେ ଲଗାଯାଇଥିବା ଏହି ଲେଜର ଅସ୍ତ୍ର ଶତ୍ରୁ ଅସ୍ତ୍ର ଏବଂ ଉପକରଣର ଅପ୍ଟିକାଲ୍ ସେନ୍ସରକୁ ପ୍ରଭାବଶାଳୀ ଭାବରେ ନଷ୍ଟ କରିପାରିବ। ଚୀନ୍ ପ୍ରତିରକ୍ଷା ବିଶ୍ଳେଷକମାନେ କହିଛନ୍ତି ଯେ ଏହି ଅସ୍ତ୍ର ସମୁଦ୍ରରେ ଚୀନ୍ର ଶକ୍ତିକୁ ଆହୁରି ବୃଦ୍ଧି କରିବ। ଲେଜରଗୁଡ଼ିକୁ ଏକ ନୂତନ ଉପକରଣ ଭାବରେ ଦେଖାଯାଉଛି।