ଉପ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବଡ଼ ହଲଚଲ, ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଉପ ରାଷ୍ଟ୍ରପତି ନିର୍ବାଚନ। ସେଥିପାଇଁ ଜୋର୍‌ଦାର ଲାଗି ପଡ଼ିଛନ୍ତି ଶାସକ ଓ ବିରୋଧୀ । ସିପି ରାଧାକ୍ରିଷ୍ଣନ୍‌ଙ୍କୁ ଜିତାଇବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛି ଏନ୍‌ଡିଏ । ସେପଟେ କ୍ରସ୍‌ ଭୋଟିଂ ଉପରେ ନିର୍ଭର କରୁଛି ବିରୋଧୀଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ଭାଗ୍ୟ। ଏହାରି ଭିତରେ ଚୂଡ଼ାନ୍ତ କସରତ ଆରମ୍ଭ କରିଛି ବିଜେପି…ସେଥିପାଇଁ ରଖିଛି ୱିକେଣ୍ଡ୍‌ ପ୍ଲାନ୍‌ । ଆଉ ତାହାର ଝଲକ୍‌ ଦେଖିବାକୁ ମିଳିବ ଶନିବାର ଡିନର୍‌ ପାର୍ଟିରେ । ଉଭୟ ଗୃହର ସାଂସଦଙ୍କ ସହ ଡିନର ପାର୍ଟି ରଖିଛନ୍ତି ବିଜେପି ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ଜେପି ନଡ୍ଡା ।

ସେହିପରି ରବିବାର ଦିନ ତମାମ ପାର୍ଲାମେଣ୍ଟର ବାଲ୍‌ଯୋଗୀ ଅଡିଟୋରିୟମ୍‌ରେ ହେବ ଟ୍ରେନିଂ ସେସନ୍‌…ସେହି ସେସନ୍‌ରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ଅନ୍ୟ କେନ୍ଦ୍ର ମନ୍ତ୍ରୀମାନେ ବିଜେପି ସାଂସଦଙ୍କୁ ପାଠ ପଢ଼ାଇବେ । ସୋମବାର ଦିନ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ ଏହି ଟ୍ରେନିଂ ସେସନ୍‌ । ତାଲିମ ସମୟରେ ସମସ୍ତ ସାଂସଦ ଉପସ୍ଥିତ ରହିବା ନେଇ ବିଜେପି ତରଫରୁ ଏକ ପ୍ରକାର ହ୍ବିପ୍‌ ଜାରି କରାଯାଇଛି । ଦିଲ୍ଲୀ ବାହାରେ ନ ରହିବାକୁ ସାଂସଦମାନଙ୍କୁ କୁହାଯାଇଛି ।

୨୦୧୯ ମସିହା ଅଗଷ୍ଟ ୪ ତାରିଖରେ, ଧାରା ୩୭୦ ଉଚ୍ଛେଦର ଦିନକ ପୂର୍ବେ ଶେଷ ଥର ପାଇଁ ବିଜେପିର କାର୍ଯ୍ୟଶାଳା ଅନୁଷ୍ଠିତ ହୋଇଥିଲା । ସେତେବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟଶାଳାରେ ଉପସ୍ଥିତ ଥିଲେ । ଏବେ ପୁଣି ଥରେ ସାଂସଦମାନଙ୍କୁ ନେଇ ଆୟୋଜିତ ହେବ କାର୍ଯ୍ୟଶାଳା । ସୋମବାର ସନ୍ଧ୍ୟାରେ ତାଲିମ ସରିବା ପରେ ରାତିରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏନ୍‌ଡିଏ ସାଂସଦମାନେ ଏକାଠି କରିବେ ଡିନର୍‌ । ଆଉ ଏହାର ହୋଷ୍ଟ୍‌ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…୯ ତାରିଖରେ ଉପ ରାଷ୍ଟ୍ରପତି ନିର୍ବାଚନ ଥିବାବେଳେ ୮ ତାରିଖ ରାତିରେ ଏନ୍‌ଡିଏ ସାଂସଦମାନଙ୍କୁ ନିର୍ବାଚନ ସମ୍ପର୍କିତ ପରାମର୍ଶ ଦେବେ ପ୍ରଧାନମନ୍ତ୍ରୀ ମୋଦି ।
ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ୍‌ଙ୍କୁ ଉପ ରାଷ୍ଟ୍ରପତି ପ୍ରାର୍ଥୀ କରିଛି ଏନ୍‌ଡିଏ…ଜଗଦୀପ ଧନକଡ଼ଙ୍କ ନାଟକୀୟ ଇସ୍ତଫା ପରେ ଏନ୍‌ଡିଏ ରାଧାକ୍ରିଷ୍ଣନ୍‌ଙ୍କୁ ଉପ ରାଷ୍ଟ୍ରପତି କରିବା ପାଇଁ ଏବେ ଜୋର୍‌ଦାର ପ୍ରୟାସ କରୁଛି…ସେପଟେ ସଂଖ୍ୟା ନଥାଇ ବି କ୍ରସ୍‌ ଭୋଟିଂ ଉପରେ ଭରସା କରିଛନ୍ତି ବିରୋଧୀ…ଇଣ୍ଡିଆ ବ୍ଲକ୍‌ର ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀ ବିରୋଧୀଙ୍କ ପାଇଁ କିଛି ଚମତ୍କାର କରିବା ନେଇ ଆଶା ରଖିଛନ୍ତି ଅପୋଜିସନ୍‌ ।

Comments (0)
Add Comment