ରାହୁଲ ଗାନ୍ଧୀଙ୍କ ‘ଦେଶ ବିରୋଧୀ’ ମନ୍ତବ୍ୟ ପ୍ରସଙ୍ଗ: ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ନୋଟିସ୍ ଜାରି କଲା ଝାରସୁଗୁଡା ପୋଲିସ

ଝାରସୁଗୁଡ଼ା/ନୂଆଦିଲ୍ଲୀ: ଓଡ଼ିଶା ପୋଲିସ ରାହୁଲ ଗାନ୍ଧୀଙ୍କ କଥିତ ‘ଦେଶ ବିରୋଧୀ’ ମନ୍ତବ୍ୟ ମାମଲାର ତଦନ୍ତକୁ ଆଗକୁ ବଢାଇଛି। ବର୍ତ୍ତମାନ ଏହି ତଦନ୍ତ ରାଜୀବ ଗାନ୍ଧୀ ଫାଉଣ୍ଡେସନ (RGF) ପର୍ଯ୍ୟନ୍ତ ପହଞ୍ଚିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ‘ଦେଶ ବିରୋଧୀ’ ମନ୍ତବ୍ୟ ପାଇଁ ଝାରସୁଗୁଡ଼ା ଜିଲ୍ଲାରେ ପଞ୍ଜିକୃତ ମାମଲା ସମ୍ପର୍କରେ ଝାରସୁଗୁଡ଼ା ପୋଲିସ ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ନୋଟିସ୍ ଜାରି କରିଛି । ଏଥିରେ ଆର୍ଥିକ ରେକର୍ଡ ଓ ବିଦେଶୀ ଅନୁଦାନର ବିବରଣୀ ମଗାଯାଇଛି ।

ପୋଲିସ ଫାଉଣ୍ଡେସନର ନିର୍ଦ୍ଦେଶକଙ୍କୁ ସମନ ମଧ୍ୟ ପଠାଇଛି। ଏହି ନୋଟିସ ଅନୁଯାୟୀ ଫାଉଣ୍ଡେସନରୁ ମଗାଯାଇଥିବା ସୂଚନାରେ ଅନ୍ତର୍ଭୁକ୍ତ – ୧୯୯୧ ମସିହାରୁ ବିଦେଶୀ ଦାନର ବର୍ଷୱାରୀ ବିବରଣୀ, ବ୍ୟାଙ୍କ ଆକାଉଣ୍ଟ ସୂଚନା, ଅଧିକୃତ ସ୍ୱାକ୍ଷରକାରୀଙ୍କ ନାମ, ଅଡିଟରଙ୍କ ନାମ ଏବଂ ଯୋଗାଯୋଗ ବିବରଣୀ, FCRA ଲାଇସେନ୍ସର କପି, ବିଶେଷ ଦାନ ସମ୍ପର୍କରେ ସ୍ପଷ୍ଟୀକରଣ, ବିଶେଷକରି ବିବାଦୀୟ ପ୍ରଚାରକ ଜାକିର ନାଏକ ଏବଂ ଚୀନ ସରକାରଙ୍କଠାରୁ ପ୍ରାପ୍ତ ଦାନ ସମ୍ପର୍କରେ ସୂଚନା ରହିଛି।

ଜାରି ହୋଇଥିବା ନୋଟିସରେ ରାହୁଲ ଗାନ୍ଧୀ ଫାଉଣ୍ଡେସନର ଅର୍ଥ ନିର୍ଦ୍ଦେଶକ ସନ୍ଦୀପ ଆନନ୍ଦଙ୍କୁ ନଭେମ୍ବର ୪ରେ ହାଜର ପାଇଁ କୁହାଯାଇଛି । ମାମଲାର ତଦନ୍ତ ଅଧିକାରୀ ଥିବା ଝାରସୁଗୁଡ଼ା ଏସ୍‌ଡିପିଓଙ୍କ ସମ୍ମୁଖରେ ହାଜର ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଚଳିତ ବର୍ଷ ୧୫ ଜାନୁଆରିରେ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ଭାଷଣର କିଛି ଦିନ ପରେ ଅର୍ଥାତ୍ ଫେବ୍ରୁଆରି ୭ ତାରିଖରେ ଝାରସୁଗୁଡ଼ା ଥାନାରେ ମାମଲା ରୁଜୁ ହୋଇଥିଲା । ସେହି ଭାଷଣରେ ରାହୁଲ ଗାନ୍ଧୀ କହିଥିଲେ,‘ବିଜେପି ଓ RSS ଆମ ଦେଶର ପ୍ରତ୍ୟେକ ପ୍ରତିଷ୍ଠାନକୁ କବଜା କରିନେଇଛନ୍ତି । ଆମେ ଏବେ ବିଜେପି, ଆରଏସଏସ୍ ସହିତ ଲଢ଼ୁଛୁ।’ ଏହି ମନ୍ତବ୍ୟ ପରେ ଝାରସୁଗୁଡ଼ା ନାଗରିକ ଫୋରମ୍ ଏତଲା ଆଧାରରେ ରାହୁଲ୍ ଗାନ୍ଧୀଙ୍କ ନାମରେ ମାମଲା ରୁଜୁ କରିଥିଲା।

ଟାଇମ୍ସ ଅଫ୍ ଇଣ୍ଡିଆର ଖବର ଅନୁଯାୟୀ, ପୋଲିସ ୟୁପିଏ ଶାସନ କାଳରେ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ହୋଇଥିବା ଅନିୟମିତତା ସମ୍ପର୍କରେ ମଧ୍ୟ ଫାଉଣ୍ଡେସନରୁ ସ୍ପଷ୍ଟୀକରଣ ଲୋଡାଯାଇଛି। ପୋଲିସ ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ଯଦି ନୋଟିସ୍ ପାଳନ ନ କରାଯାଏ, ତେବେ ଧାରା ୨୧୦ ଅନୁଯାୟୀ ଦଣ୍ଡନୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments (0)
Add Comment