ଯୋଗ୍ୟ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା, ଏକା ଥରକେ ମିଳିବ ୩ଟି କିସ୍ତି….

ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀ ନିଶ୍ଚୟ ପାଇବେ ସୁଭଦ୍ରା ଯୋଜନା ସହାୟତା । ଆଜି ଲୋକସେବା ଭବନରେ ସୁଭଦ୍ରା ସମୀକ୍ଷା ବୈଠକ ପୂର୍ବରୁ କିଛି ଏପରି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।

ମନ୍ତ୍ରୀ କହିଛନ୍ତି, ସୁଭଦ୍ରା ଯୋଜନାରୁ କାହିଁକି ବଞ୍ଚିତ ହେଲେ, ତାହାର ତର୍ଜମା ଚାଲିଛି । ଯୋଗ୍ୟ ହୋଇଥିଲେ ଏକା ଥରକେ ତିନିଟି କିସ୍ତି ସୁଭଦ୍ରା ଟଙ୍କା ପାଇବେ । ସୁଭଦ୍ରା ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେମାନେ କାହିଁକି ବଞ୍ଚିତ ହେଲେ, ରେସନ କାର୍ଡ ଅଛି କି ନାହିଁ, କେୱାଇସି ଅପଡେଟ୍ ହୋଇଛି କି ନାହିଁ ଏଭଳି ଅନେକ ତର୍ଜମା କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଅଧକ୍ଷତାରେ ଆଜି ଲୋକସେବା ଭବନରେ ଏନେଇ ସମୀକ୍ଷା ବୈଠକ ହୋଇଥିବା ସୂଚନା ମିଳିଛି । ବୈଠକ ପୂର୍ବରୁ ୩ ବିଭାଗ ପରିବହନ, ଖାଦ୍ୟ ଯୋଗାଣ ଏବଂ ସ୍ୱାସ୍ଥ୍ୟ ବିଭାଗକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତଥ୍ୟ ମାଗିଥିଲା । ବାଣିଜ୍ୟ ଏବଂ ପରିବହନ ବିଭାଗକୁ ଚାରି ଚକିଆ ଥିବା ମହିଳାଙ୍କ ତଥ୍ୟ ମଗା ଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗକୁ ମୃତ ହିତାଧିକାରୀଙ୍କ ତାଲିକା ଯାଞ୍ଚ କରିବାକୁ କୁହାଯାଇଥିଲା । ସେହିପରି ଧାନ ବିକ୍ରି କରିଥିବା ମହିଳାଙ୍କ ନାଁରେ କେତେ ଜମି ପଞ୍ଜୀକରଣ ହୋଇଛି ତା’ର ରିପୋର୍ଟ ଖାଦ୍ୟ ଯୋଗାଣ ବିଭାଗକୁ ମଗାଯାଇଥିଲା । ତିନି ବିଭାଗର ରିପୋର୍ଟ ଆଧାରରେ ଆଜି ସୁଭଦ୍ରା ସମୀକ୍ଷା ବୈଠକ କରାଯାଇଛି । ତିନି ବିଭାଗର ଦେଇଥିବା‌ ରିପୋର୍ଟର ଯାଞ୍ଚ ହେବା ପରେ ବଞ୍ଚିତ ହୋଇଥିବା ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାରେ ଯୋଡ଼ାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏଥିସହିତ ଯେଉଁ ମହିଳାମାନେ ଧନୀ ତାଲିକାରେ ଅନ୍ତର୍ଭୁକ୍ତ ହେବେ, ସେମାନଙ୍କୁ ଯୋଜନାରୁ ବାଦ୍ ଦିଆଯିବ ।

Comments (0)
Add Comment