ନୂଆଦିଲ୍ଲୀ: ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଭାଦ୍ରପଦ ପୂର୍ଣ୍ଣିମା ଅର୍ଥାତ୍ ୭ ସେପ୍ଟେମ୍ବରରେ ହୋଇଥିଲା।ବର୍ତ୍ତମାନ ଏହାର ଠିକ୍ ୧୨ ଦିନ ପରେ ବର୍ଷର ଶେଷ ସୂର୍ଯ୍ୟପରାଗ ମଧ୍ୟ ହେବାକୁ ଯାଉଛି। ଯାହାକି ସର୍ବ ପିତୃ ଅମାବାସ୍ୟା ଭାବରେ ପାଳନ କରାଯିବ।
ତେବେ ବର୍ଷର ଏହି ଶେଷ ସୂର୍ଯ୍ୟପରାଗ କେଉଁ ତାରିଖ ଏବଂ ଏହାର ସମୟ କ’ଣ ହେବ ଓ ସୂତକ ଅବଧି ବୈଧ ହେବ କି ନାହିଁ। ଆସନ୍ତୁ ଜାଣିବା…
ଚଳିତ ବର୍ଷର ଶେଷ ସୂର୍ଯ୍ୟପରାଗ ୨୧ ସେପ୍ଟେମ୍ବର ୨୦୨୫ ରେ ହେବାକୁ ଯାଉଛି। ଏହି ଗ୍ରହଣ ର ସମୟ ୨୧ ସେପ୍ଟେମ୍ବର ରାତି ୧୧ ଟାରୁ ରାତି ୩:୨୨ ପର୍ଯ୍ୟନ୍ତ ରହିବ। ତେବେ ଏହା ନ୍ୟୁଜିଲ୍ୟାଣ୍ଡ, ଆଣ୍ଟାର୍କଟିକା, ଫିଜି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର ଏବଂ ଅଷ୍ଟ୍ରେଲିଆର ଦକ୍ଷିଣ ଭାଗରେ ଦେଖାଯିବ।
ଏହି ସୂର୍ଯ୍ୟଗ୍ରହଣ ଭାରତରେ ଦେଖାଯିବ ନାହିଁ ତେଣୁ ଭାରତ ରେ ଏହାର କୌଣସି ପ୍ରଭାବ ମଧ୍ୟ ପଡ଼ିବ ନାହିଁ ଓ ସୂତକ ସମୟ ମଧ୍ୟ ବୈଧ ହେବ ନାହିଁ ଏଥିସହିତ ଏହାର କୌଣସି ଶୁଭ କିମ୍ବା ଅଶୁଭ ପ୍ରଭାବ ମଧ୍ୟ ଦେଖାଯିବ ନାହିଁ। ତେବେ ବର୍ଷର ଏହି ଶେଷ ସୂର୍ଯ୍ୟଗ୍ରହଣ କନ୍ୟା ଏବଂ ଉତ୍ତରା ଫାଲଗୁନି ନକ୍ଷତ୍ରରେ ହେବାକୁ ଯାଉଥିବା ନେଇ ଜ୍ୟୋତିଷ ମାନେ ମତ ଦେଇଛନ୍ତି।
ଭାରତ ବ୍ୟତୀତ ଏହା ପାକିସ୍ତାନ, ଶ୍ରୀଲଙ୍କା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ନେପାଳ, ଆଫଗାନିସ୍ତାନ ସମେତ ଅନେକ ଦେଶରେ ଦୃଶ୍ୟମାନ ହେବ ନାହିଁ। ଏହି ଦିନ ଆଶ୍ୱିନ ଅମାବାସ୍ୟା ମଧ୍ୟ ପାଳନ କରାଯିବ। ତେବେ ଏହାର ପ୍ରଭାବ ଭାରତରେ ନଥିବା ହେତୁ ଅମାବାସ୍ୟାରେ ପୂଜା, ଉପବାସ ଇତ୍ୟାଦିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।ଗର୍ଭବତୀ ମହିଳାମାନଙ୍କୁ ଏହି ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବା ସହ ଗ୍ରହଣ ସମୟରେ ସୂର୍ଯ୍ୟଙ୍କ କିରଣରୁ ଦୂରେଇ ରହିବାକୁ ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି।