ମୁମ୍ବାଇ: ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳି ଚଳାଇଥିବା ଦୁଇ ଅପରାଧୀ ପୋଲିସ ଏନକାଉଣ୍ଟରରେ ନିହତ ହୋଇଛନ୍ତି। ସେମାନେ ଗୋଲ୍ଡି ବ୍ରାର ଏବଂ ରୋହିତ ଗୋଦାରା ଗ୍ୟାଙ୍ଗର ସଦସ୍ୟ ଥିଲେ।
ସେପ୍ଟେମ୍ବର ୧୨ ତାରିଖରେ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ପାଇଁ ଗୋଲ୍ଡି ବ୍ରାର ଗ୍ୟାଙ୍ଗ ଦାୟୀ ବୋଲି ଦାବି କରିଥିଲା। ପୋଲିସ ଅପରାଧୀମାନଙ୍କଠାରୁ ତୁର୍କୀ ନିର୍ମିତ ଜିଗାନା ଏବଂ ଅଷ୍ଟ୍ରିଆ ନିର୍ମିତ ଗ୍ଲକ୍ ପିସ୍ତଲ ଜବତ କରିଛି। ତେବେ ପ୍ରୟାଗରାଜରେ ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ଆଶ୍ରଫଙ୍କ ହତ୍ୟାରେ ସୁଟରମାନେ ଏହି ଜିଗାନା ପିସ୍ତଲର ବ୍ୟବହାର କରିଥିଲେ।
ସୂଚନା ଅନୁଯାୟୀ, ଘଟଣା ସହିତ ଜଡିତ ସିସିଟିଭି ଫୁଟେଜ୍ ପାଇବା ପରେ ପୋଲିସ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲା ଏବଂ ଟେକ୍ନୋ ସିଟିରେ ଏନକାଉଣ୍ଟରରେ ଅଭିଯୁକ୍ତ ନିହତ ହୋଇଥିଲେ। ପୋଲିସ ଅନୁଯାୟୀ ସେମାନେ ଅପରାଧୀମାନଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ଅପରାଧସ୍ଥଳକୁ ଯାଉଥିବା ସମସ୍ତ ରାସ୍ତା ଯାଞ୍ଚ କରିଥିଲେ।
ଗତ ଶୁକ୍ରବାର ଭୋର ସମୟରେ ବରେଲିରେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ନଅ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା। ଗୁଳିକାଣ୍ଡ ପରେ ଦୁଇ ବାଇକ ଆରୋହୀ ବ୍ୟକ୍ତି ନୈନିତାଲ ହାଇୱେ ଆଡକୁ ପଳାଇ ଯାଇଥିଲେ।