ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଥିବା ହେତୁ ଆଗାମୀ ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ୨୯ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ୨୭ ଓ ୨୮ରେ ସବୁଠାରୁ ବେଶି ବର୍ଷା ଆଶଙ୍କା ରହିଛି । ଲଗାଣ ବର୍ଷାରେ ଫୁଲିପାରେ ଉତ୍ତର ଓଡ଼ିଶାର ବିଭିନ୍ନ ନଦୀର ଜଳସ୍ତର । ମହାନଦୀ ଅବବାହିକାରେ ବି ଅଧିକ ବର୍ଷା ହୋଇପାରେ । ପାଣିପାଗ ବିଭାଗ ପକ୍ଷରୁ ପାକ୍ଷିକ ପୂର୍ବାନୁମାନ ଜାରି ହୋଇଛି ।
ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆଜି ବରଗଡ଼, ଢେଙ୍କାନାଳ, ହୀରାକୁଦ, ଦାରିଙ୍ଗବାଡ଼ି ଏବଂ ଝାରସୁଗୁଡ଼ାରେ ହାଲୁକା ବର୍ଷା ହୋଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝରରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି।
ବିଭିନ୍ନ ମଡେଲ ବିଶ୍ଳେଷଣ ଆକଳନ ଅନୁସାରେ ଆସନ୍ତା ୨୩ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ୨୬ ତାରିଖବେଳକୁ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଆଉ ଏକ (ଦ୍ୱିତୀୟ) ଲଘୁଚାପ ଦାନା ବାନ୍ଧିବ । ଏହା ଘନୀଭୂତ ହୋଇ ୨୭ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ରୂପ ନେବ ଏବଂ ଓଡ଼ିଶା ଉପକୂଳ ଦେଇ ସ୍ଥଳଭାଗରେ ପ୍ରବେଶ କରିବ। ୩୦ ତାରିଖ ବେଳକୁ ଦକ୍ଷିଣ ଚୀନ ସାଗରରୁ ଏକ ବାତ୍ୟାର ଅବଶିଷ୍ଟାଂଶ ଆସି ଉତ୍ତର ବଙ୍ଗୋପସାଗରରେ ପହଞ୍ଚିପାରେ।
ଓଡ଼ିଶାରେ ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧ ଭିତରେ ବିସ୍ତାରିତ ଅଞ୍ଚଳରେ ବ୍ୟାପକ ବର୍ଷା ହେବା ସମ୍ଭବନା ରହିଛି । କୃଷି ପାଣିପାଗ ବିଶାରଦ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ଏ ସମ୍ପର୍କରେ ତିନି ଦିନ ପୂର୍ବରୁ ପୂର୍ବାନୁମାନ କରିଥିଲେ । ସେ କହିଛନ୍ତି ୨୫/୨୬ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗର ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଘନୀଭୂତ ହୋଇ ଏହା ଅବପାତ ରୂପ ନେଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ୨୬ରୁ ପାଗ ବଦଳିବ । ୨୭ ଓ ୨୮ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ ।